
ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା –
ଆତ୍ମା ଆମର ଜୀବନୀଶକ୍ତି । ଅଦେଖା ଆତ୍ମା ନେଇ ବହୁ ଗହଳି, ଏହି ଆଲେଖ୍ୟ ଆଉ ଏକ ଗହଳି । ଆଜି ଆମେ ଜୀବ,ଆତ୍ମା ଓ ପରମାତ୍ମା ଉପରେ ଆଉ ତା ସହିତ ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା ନେଇ ସାମାନ୍ୟ କିଛି ବିଚାର ରଖିବା ।
ଗୋଟିଏ ଅଛି ପାପାତ୍ମା, ଆଉ ଗୋଟିଏ ପୂତାତ୍ମା ଓ ଅନ୍ୟ ଗୋଟିଏ ପରମାତ୍ମା –ଏପରି ତିନି ଆତ୍ମା ସହିତ ଆମେ ପରିଚିତ । ଯେ ବାସନା ମାନଙ୍କରେ ଆବଦ୍ଧ ସେ ପାପାତ୍ମା; ଉପାୟ ଓ କର୍ମ ଫଳ ଭୋଗ କରି କରି ତାହାର ପାପ ଶେଷ ହେବାରେ ଅର୍ଥାତ ଶୁଦ୍ଧ ହେବାରେ ସେ ହୁଏ ପୂତାତ୍ମା । ପାପାତ୍ମାକୁ ଜୀବ ଓ ପୂତାତ୍ମାକୁ ଆତ୍ମା ବୋଲି କୁହାଯାଏ । ସେହି ଆତ୍ମା ଅତ୍ୟନ୍ତ ବ୍ୟାପକ ହେବାରେ ପରମାତ୍ମାରୂପ ନିଅନ୍ତି । ବୁଝାଇବା ପାଇଁ ଏପରି ଏକ ଆତ୍ମାର ଭୂମିକା ନେଇ ବିଭିନ୍ନ ନାମକରଣ କରାଯାଇଛି; ବାସ୍ତବରେ ଆତ୍ମା ଏକ ଓ ଅଖଣ୍ଡ । ଆମେ ସମସ୍ତେ ଏକ, କିନ୍ତୁ ଭୂମିକା ନେଇ ସବାତଳେ ପାପାତ୍ମା –ଜୀବ, ସମସ୍ତ ଜୀବ ପାପୀ, ଆମେ ସମସ୍ତେ ପୂର୍ବକୃତ ପାପର ଫଳ ଭୋଗକରି ଶେଷ କରିବାପାଇଁ ଜନ୍ମ ନେଉଛେ । ନାନାଦି ଉପାୟକରି ପାପ କଟିଲେ ପୂତାତ୍ମା ହେବା । ପରମାତ୍ମା ଯେ ସେ ଈଶ୍ଵର । ଜୀବାତ୍ମା ଆପଣାକୁ ସଂସ୍କାର, ଜ୍ଞାନ ଓ ସାଧନା ଦ୍ଵାରା ପୂତ ଓ ବିସ୍ତୃତ କରିପାରିଲେ ପରମାତ୍ମା ସହିତ ମିଳିତ ହେବ ।
ଏପରି ଏକେ ତ ଆତ୍ମା ସ୍ଵୟଂ ପୂତ ହୋଇଥାଏ, ସେ ବାସନାରୁ ସର୍ବଥା ପୃଥକ, ଆତ୍ମା ପରମାତ୍ମାଙ୍କର ଅଂଶ ତେଣୁ ଦିବ୍ୟ; ପୁଣି ତାକୁ ଶୁଦ୍ଧକରିବାର କି ଆବଶ୍ୟକ? ମଳିନ ଚେତନାରୁ ଆମେ ଆତ୍ମ ବିସ୍ମୃତ, ତେଣୁ ଦୁଃଖୀ । ଦୁଃଖ ଦୂର କରିବାରେ ଆମର ପ୍ରୟାସ । ତେଣୁ, ଚେତନାର ପରିଷ୍କରଣ ନିତ୍ୟାନ୍ତ ଆବଶ୍ୟକ, ଆଉ ସେଥିପାଇଁ ଶିକ୍ଷାର ପ୍ରୟୋଜନତା ରହିଛି । ଶିକ୍ଷା ସଂସ୍କାର ସହିତ ସମ୍ବନ୍ଧିତ, ଏଣୁ ପ୍ରତ୍ୟେକଙ୍କୁ ସଂସ୍କାର ସ୍ଵୀକାର କରିବାକୁ ହେବ ।
ସଂସ୍କାର ତାହା ଯାହା କିଛିକୁ କୌଣସି ଉଦ୍ଦେଶ୍ୟର ଉପଯୋଗ ପାଇଁ ତିଆରି କରେ । ବର୍ତ୍ତମାନ ଗୃହ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ଗୁରୁ ଦୀକ୍ଷା ଓ ସତସଙ୍ଗ ଚରିତ୍ରକୁ ଯେଉଁ ସବୁ ସଂସ୍କାର ଯୋଗାଉଛି ତାହା କେବଳ ବିଷୟ ଭୋଗରେ ସୀମିତ ରହିଯାଉଛି । ବାସନା ବଡ ବ୍ୟାପକ । ତା ସଂସାରରେ ରହି ହେଉ କି ବୈକୁଣ୍ଠ ପ୍ରାପ୍ତିରୁ ହେଉ, ସୁଖ ପାଇବା ପରମ ଲକ୍ଷ ହେଉଛି । ଏପରି ଅବୈଦିକ ଶିକ୍ଷା ଦୀକ୍ଷାରୁ ପାପାତ୍ମାଟି ଅତିବେଶିରେ ପୂତାତ୍ମା ସ୍ତର ପର୍ଯ୍ୟନ୍ତ ଯାଇପାରୁଛି କିନ୍ତୁ ପରମାତ୍ମାଙ୍କୁ ସ୍ପର୍ଶ କରିପାରୁନାହିଁ । ବୈଦିକ ସଂସ୍କାରର ମହତ୍ତ୍ଵ ଆମେ ବୁଝୁ ନାହୁଁ । ପଇତା କଥା କହିଲେ ତାହା ଏକ ଜାତିର ବିଶେଷତ୍ଵ ବୋଲି ଲୋକେ ମନେକରୁଛନ୍ତି ଓ ନାକ ରଗଡୁଛନ୍ତି । ଆରେ ଭାଇ , ସାଧନା ଓ ବିଚାରଦ୍ଵରା ଆଗେଇବାକୁ ହେବ । ଅଧ୍ୟାତ୍ମ୍ୟ ସୀମାହୀନ, ପଇତା ଆଗକୁ ବଢିବାର ସୂତ୍ର ।
ଆତ୍ମଜ୍ଞାନର ଧ୍ୟେୟ କଣ? ଆମର ଏଠି ଆତ୍ମଜ୍ଞାନର ଧ୍ୟେୟ ଅତ୍ୟନ୍ତ କ୍ଷୁଦ୍ର । ମୋଟାମୋଟି ଭାବେ ମାୟା-ମୋହ ନରହୁ, ଯେପରି ବି ପରିସ୍ଥିତି ଆସୁ, ସନ୍ତୋଷ ରହିବାକୁ ହେବ । ବିଚାରେ ଏପରି ଆତ୍ମଜ୍ଞାନ ଅତ୍ୟନ୍ତ ସ୍ଵାର୍ଥୀ । ବାହାରର ସୁଖ-ଦୁଃଖରେ ତାହାର କୌଣସି ସମ୍ବନ୍ଧ ନାହିଁ ।
ମୋତେ ଜଣେ ମନ୍ତବ୍ୟ ଦେଲେ ଯେ “ଆପଣ ଏ କି ମାୟାରେ ପଡିରହିଛନ୍ତି, ଖାଲି ଘର ପରିବାର ଓ ପରିବେଶନେଇ ଗୁଡାଏ ଚିନ୍ତା କରୁଛନ୍ତି, ଏ କି ଅହଂକାରରେ ଆପଣ ବୁଡି ରହୁଛନ୍ତି? ଏପରି ହେଲେ କିପରି ଦୁନିଆରୁ ଉଦ୍ଧାର ପାଇବେ? ଏପରି ଚିନ୍ତା ଓ କର୍ମକୁ ଛାଡି ଦିଅ”। ମୁଁ କହିଲି- ହେଲେ ଛାଡି କରିବି କଣ?
ସେ ଉପଦେଶକ ବନ୍ଧୁ ମୋର ଏକ ଗାଦିମଡା ଗୁରୁ ଗ୍ରହଣ କରିଛନ୍ତି । ଯେଉଁ ଗୁରୁ ତାଙ୍କ ଦିବଙ୍ଗତ ଗୁରୁଙ୍କର ବାଣୀ ଓ ବିଚାରର ପ୍ରଚାର –ପ୍ରସାରରେ ଲାଗିରହି ହାକିମାତି ଦେଖାଉଛନ୍ତି । ବନ୍ଧୁ ଜଣଙ୍କ କହିଲେ ‘ଆପଣ ଆମ ଗୁରୁଙ୍କ ନିକଟକୁ ଆସନ୍ତୁ, ଆଉ ଶରଣ ପଶନ୍ତୁ, ସେ ଦେବତା-ପରଦେବତା ଅଟନ୍ତି’ । ମୁଁ ପଚାରିଲି ସେଠି କରିବି କଣ? ଏତିକିରେ ସେ ମୋତେ କହିଲେ ଏପରି ପ୍ରଶ୍ନ ପଚାରିବା ତୁମର ଅହଂକାରକୁ ଦର୍ଶଉଛି। କରିବା-ପାଳିବା କିଛି ଦରକାର ନାହିଁ, କେବଳ ତାଙ୍କ ପାଦତଳେ ବସ ପରମ ଶାନ୍ତି ପାଇବ । ଆହା, ବିଚରା ବନ୍ଧୁ ମୋର । ଏପରି ଆମର ଏଠାରେ ଲୋକେ ମୁକ୍ତିକୁ ଅତି ନିକଟରେ ଦେଖିଥାନ୍ତି, ଗୁରୁ ରୂପୀ ପରର ସହାୟତାରେ ଆତ୍ମକଲ୍ୟାଣର ଆଶା ବାନ୍ଧନ୍ତି । ସେଇ ଶାସ୍ତ୍ର କି ଗୁରୁ ଯାହା ଯାହା କହିଛନ୍ତି ସେତିକିରେ ସୀମିତ ରହିଯାନ୍ତି, ଆଉ କହି ବୁଲନ୍ତି ଆମକୁ ଆତ୍ମଜ୍ଞାନ ପ୍ରାପ୍ତ ହୋଇଯାଇଛି । ଟିକେ ସୁଖରୁ –ଆତ୍ମ ସନ୍ତୋଷରୁ କି ଧରଣର ପାଗଳ ଏମାନେ, ଆଗକୁ ବଢିବାକୁ ଚାହୁଁନାହାନ୍ତି । ଗାନ୍ଧୀଜୀ କିନ୍ତୁ ଶେଷ ପର୍ଯ୍ୟନ୍ତ କହୁଥିଲେ ମୋତେ ପୂର୍ଣ୍ଣାଙ୍ଗ ଜ୍ଞାନ ପ୍ରାପ୍ତ ହେଲାନାହିଁ, ସେ ପ୍ରାୟତଃ କିଛି ନା କିଛି ଅଧ୍ୟାତ୍ମ୍ୟ ଶାସ୍ତ୍ର ପଢୁଥିଲେ, ନୂତନ କିଛି ବିଚାରୁଥିଲେ । ଯେପରି ବିଜ୍ଞାନ ବିଚାରରେ ଅସମାହିତ ଧ୍ୟେୟ ରହିଛି, ସେହିପରି ଅଧ୍ୟାତ୍ମ୍ୟ ବିଷୟରେ ବି ହେବା କଥା । ଅଧ୍ୟାତ୍ମ୍ୟ-ବିଜ୍ଞାନର ଉତ୍ତରୋତ୍ତର ଗବେଷଣା ହେବା କଥା । ଯେପରି ବିଜ୍ଞାନ ସମଗ୍ର ବ୍ରହ୍ମାଣ୍ଡ ଉପରେ ସ୍ଵାମିତ୍ଵ ଚାହେଁ, ସେପରି ଆମକୁ ସଂପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ପ୍ରଭୁତ୍ଵ ହାସିଲ କରିବାର ଇଚ୍ଛା ରଖିବା ଆବଶ୍ୟାକ ।
ଆମର ଆଧ୍ୟାତ୍ମିକ ଚିନ୍ତନରେ ବଡ ଦୋଷ ରହି ଯାଉଛି । ମହାପୁରୁଷଙ୍କର କିଛି ଦୋଷ ନାହିଁ । ତାଙ୍କ କଥନ ଓ ଆଚରଣକୁ ବୁଝି ଅନ୍ୟକୁ ବତାଇବାରେ ଦୋଷ ରହି ଯାଉଛି । ଅନେକଙ୍କର ଏହା କହିବା କଥା ଯେ ଅଧ୍ୟାତ୍ମ୍ୟ-ଜ୍ଞାନ ପୂର୍ଣ୍ଣତାକୁ ପ୍ରାପ୍ତ କରିସାରିଛି । ତେଣୁ ଆଉ ଗୁଡାଏ ଖୋଜା-ଖୋଜି ନକରି ପ୍ରତିଷ୍ଠିତ ଗୁରୁ ଗୁଳାରେ ପାଦ ଥାପି ଅବା ଅଧା ବାଟ ଯାଉ-ନଯାଉଣୁ ଘର-ପରିବାରର କିଛି ଭଲ ହୋଇଗଲେ ପରମ ସନ୍ତୋଷ ପାଇ ଆତ୍ମଜ୍ଞାନ ପାଇଗଲୁ ବୋଲି ଭାବି ଆଉ ଆଗକୁ ଆଗେଇବାର ମଙ୍ଗ ଛାଡିଦେଇ ସେଇ ନିତିଦିନିଆ ଚିରାଚରିତ ଅଭ୍ୟାସରେ ବାନ୍ଧି ହୋଇ ରହିଯାଉଛୁ । ଏବେ ଆମକୁ ଆଉ କୌଣସି ପ୍ରକାର ପ୍ରଗତିର ଆବଶ୍ୟକତା ନାହିଁ, ବେଦାନ୍ତ ଏବଂ ସନ୍ଥଙ୍କର ଅନୁଭବ ମାଧ୍ୟମରେ ସତେ ଯେପରି ଅଧ୍ୟାତ୍ମ୍ୟ ଶାସ୍ତ୍ର ପରିପୂର୍ଣ୍ଣତାକୁ ପ୍ରାପ୍ତ କରିସାରିଛନ୍ତି । ପରନ୍ତୁ, ବିଜ୍ଞାନବିତ୍ ଏହା କହନ୍ତି କି ବିଜ୍ଞାନର ଯାତ୍ରା କଥମପି ପୂର୍ଣ୍ଣାଙ୍ଗ ହୋଇ ନାହିଁ । ଆହୁରି ଆଗକୁ ଯିବାକୁ ହେବ । ସେମାନଙ୍କର ବିଚାରରେ ଆମର ପ୍ରଗତି ବହୁତ ଅଳ୍ପ, ସିନ୍ଧୁରେ ବିନ୍ଦୁ ପରି । ଯଦ୍ୟପି ବିଜ୍ଞାନର ପ୍ରଗତି ଆଖିଦୃଶିଆ, ଆମେ ଚନ୍ଦ୍ର-ସୂର୍ଯ୍ୟଙ୍କୁ ସ୍ପର୍ଶ କଲୁଣି, ଶୂନ୍ୟ ଓ ବାୟୁକୁ ସାଧି ପାରିଲୁଣି, ତେବେ ବି ବିଜ୍ଞାନବାଦୀ ଏହା କହନ୍ତିକି ସୃଷ୍ଟିର ଜ୍ଞାନ ଅନନ୍ତ, ଏବେ ସୁଦ୍ଧା ତାର ଏକ ଛୋଟ ଅଂଶକୁ ବି ଆମେ ସାଧି ପାରିନାହୁଁ ।
ତେଣୁ, ଅଧ୍ୟାତ୍ମ୍ୟର ଏକ କ୍ଷୁଦ୍ର ମତରେ ଆବଦ୍ଧ ରହି ଆଉ ଆଗକୁ ନବଢିବା ଆମର ସବୁଠୁ ବଡ ଦୁର୍ବଳତା । ଆମେ ଜୀବାତ୍ମା କି ଅତିବେଶିରେ ପୂତାତ୍ମା ସ୍ତରରେ ରହିଗଲୁ । କିଏ ମୁକ୍ତି ପାଇଗଲା ତା କିଏ ଜାଣେ ? ଆମେ ମରଣକୁ ମୁକ୍ତି ବୋଲି ବୁଝୁ ।
- ଜୟ ଜଗନ୍ନାଥ❤️🙏🏻 –