ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ

ନମାମି ଦୁର୍ଗା
ନବରାତ୍ରୀମହିମା

ବ୍ରହ୍ମା ହରଶ୍ଚ ହରିରପ୍ୟନିଶଂ ସ୍ତୁବନ୍ତୋ଼ ନାନ୍ତଂ ଗତାଃ ସୁରବରାଃ କିଳତେ ଗୁଣାନାମ୍
କ୍ବାହଂ ବିଭେଦମତିରମ୍ବ ଗୁଣୈର୍ବୃତୋବୈ ଦୁର୍ଗାଃ ବକ୍ତୁଂକ୍ଷମସ୍ତବ ଚରିତ୍ରମହୋଽପ୍ରସିଦ୍ଧ

(ଶ୍ରୀମଦ୍ଦେବୀ ଭାଗବତ ମହାପୁରାଣ, ତୃତୀୟସ୍କନ୍ଧ, ତ୍ରୟୋବିଂଶୋଽଧ୍ୟାୟଃ)

ଅର୍ଥ:- ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ରହ୍ମା ବିଷ୍ଣୁ ମହେଶ୍ୱର ନିରନ୍ତର ଆପଣଙ୍କ ସ୍ତୁତି କରି କରି ମଧ୍ୟ ଆପଣଙ୍କ ମହାଗୁଣ ର ପାର ଯାଇପାରି ନାହାଁନ୍ତି, ହେ ମାଁ ଆଦିପରାଶକ୍ତି ଦୁର୍ଗା, ହୀନ ଭେଦବୁଦ୍ଧିବାଲା ରଜ ସତ୍ତ୍ବ ତମ ଗୁଣ ଦ୍ଵାରା ଆବଦ୍ଧ ତଥା ଅପ୍ରସିଦ୍ଧ ଏକ ତୁଚ୍ଛଜୀବ ମୁଁ ଆପଣଙ୍କ ମହାମହାଚରିତ୍ରର ବର୍ଣ୍ଣନା କରିବାରେ ଅକ୍ଷମ, ମୁଁ କିପରି ସମର୍ଥ ହୋଇପାରିବି ମାଁ??? 😭😭❤️
ମୁଁ ତ ଗୋଟିଏ ଅକିଞ୍ଚନ ଅଜ୍ଞାନୀ, ହେ ମାଁ ଚରାଚରବିଶ୍ବମାତା ମୁଁ କ’ଣ କହୁଛି କ’ଣ ଲେଖୁଛି କିଛି ଜାଣିନାହିଁ, କେବଳ ତୋର କୃପା ଦୃଷ୍ଟିରୁ ହିଁ ଯାହା ଜାଣିଛି ତାକୁ ବର୍ଣ୍ଣନା କରୁଛି, ମହିଷାସୁର ପରି ମହାଦୈତ୍ୟ ଉପରେ କୃପା କରିପାରୁଥିବା ହେ ମାଁ ଅନନ୍ତଦୟାମୟୀ 😭 ମୁଁ ତୁମରି କୃପାରେ ତିଷ୍ଠି ରହିଛି ମାଁ
ତ୍ରୁଟି ଥିଲେ ଦୋଷ ମାର୍ଜନା କରିବୁ ଦୟାମୟୀ ମା ❤️

ନବରାତ୍ରୀ ; ମାଁ ଆଦିପରାଶକ୍ତି ଙ୍କ ପୂଜା ଉପାସନା ପାଇଁ ନବରାତ୍ରୀବ୍ରତ ସର୍ବୋତ୍କୃଷ୍ଟ ସମୟ, ଏହି ବ୍ରତ ମାଁ ଆଦିପରାଶକ୍ତି ଙ୍କ ବହୁତ ପ୍ରିୟ,

ଲକ୍ଷେଟା ପାପ କରିଥିଲେ ମଧ୍ୟ ଥରେ ଯଦି ଜଣେ ଅପରାଧୀ ମାଁ ଆଦିପରାଶକ୍ତି ଙ୍କ ଏହି ବ୍ରତ ପାଳନ କରିଦିଏ ତେବେ ମାଁ ଭଗବତୀ ଲଳିତାମହାତ୍ରିପୁରାସୁନ୍ଦରୀ ତାକୁ ତତକ୍ଷଣାତ୍ ପାପରୁ ମୁକ୍ତି ଦେଇ ଦିଅନ୍ତି ଏବଂ ସେ ବ୍ୟକ୍ତି #ମଣିଦ୍ବୀପମହାଧାମ ରେ ବାସ କରିବାର ଯୋଗ୍ୟ ବିବେଚିତ ହୁଏ

ଶ୍ରୀମଦ୍ଦେବୀ ଭାଗବତ ମହାପୁରାଣ ଅନୁସାରେ:-

ମହାପାତକ ସଂଯୁକ୍ତୋ ନବରାତ୍ରବ୍ରତଂ ଚରେତ୍ ।
ମୁଚ୍ୟତେ ସର୍ବପାପେଭ୍ୟୋ ନାତ୍ରକାର୍ଯ୍ୟ ବିଚାରଣା ।।

ତେବେ ଆସନ୍ତୁ ଜାଣିବା ନବରାତ୍ରୀ ବିଷୟରେ:-
ନବରାତ୍ରୀ ପୂଜା ବର୍ଷକୁ ୧୨ ଥର ଆସେ , ତନ୍ମଧ୍ୟରୁ ୬ଟି ନବରାତ୍ରୀ ପ୍ରମୁଖ,
(ଆଷାଢ଼,ଶ୍ରାବଣ, ଆଶ୍ଵିନ,ପୌଷ, ମାଘ,ଚୈତ୍ର)
ଦୁଇଟି ପ୍ରକଟ ନବରାତ୍ରୀ (ଆଶ୍ଵିନ,ଚୈତ୍ର)
ଦୁଇଟି ଗୁପ୍ତ ନବରାତ୍ରୀ (ଆଷାଢ଼,ମାଘ) ଓ ଦୁଇଟି ଗୁପ୍ତତମ ନବରାତ୍ରୀ (ଶ୍ରାବଣ,ପୌଷ) ଥାଏ, ପ୍ରକଟ ନବରାତ୍ରୀ ନବଦୁର୍ଗା ଙ୍କ ଉପାସନା ପାଇଁ ସର୍ବୋତ୍କୃଷ୍ଟ ଏବଂ ଗୁପ୍ତ ନବରାତ୍ରୀ ଦଶମହାବିଦ୍ଯା ଙ୍କ ଉପାସନା ପାଇଁ,
ବାସନ୍ତୀକ ଚୈତ୍ର ନବରାତ୍ରୀ (ପ୍ରଣୟ ନବରାତ୍ରୀ) ରେ ମାଁ ରଣଚଣ୍ଡୀକାତ୍ୟାୟନୀ ଦେବୀ ଓ ମାଁ ମହାଲକ୍ଷ୍ମୀ ମହିଷାସୁର ବଧ କରିଥିଲେ ତେଣୁ ଏହା ସୁକାଳୀନ କିନ୍ତୁ ଆଶ୍ଵିନ ନବରାତ୍ରରେ ଦେବୀ ମହାମାୟା ରଘୁନନ୍ଦନରାମ ଙ୍କ ଆକୁଳ ପ୍ରାର୍ଥନାରେ ନିଦ୍ରାରୁ ଜାଗ୍ରତ ହୋଇ ରାବଣବଧ ପାଇଁ ବିଜୟାଶିଷ ପ୍ରଦାନ କରିଥିଲେ ସେଥିପାଇଁ ଏହା ଅକାଳୀନ ପୂଜା,

ତେବେ ଏହି ବ୍ରତର ନାମ ନବରାତ୍ରୀ କ’ଣ ପାଇଁ??
ନବରାତ୍ରୀ ହେଉଛି ନଅରାତି ଦଶଦିନ ର ପୂଜା
ନବ ଅର୍ଥ ନଅ ବା ନୂଆ ଏବଂ ରାତ୍ରୀ ଅର୍ଥ ରାତି ଅର୍ଥାତ୍ ଯେଉଁ ନଅଟି ରାତ୍ରି ବ୍ୟକ୍ତି ଜୀବନରେ ନୂଆ ଆଶାର ସଞ୍ଚାର କରାଇପାରେ ସେହିଁ ନବରାତ୍ରୀ,
“୯” ସଂଖ୍ୟା ହେଉଛି ଶକ୍ତିବାଚକ ସଂଖ୍ୟା କାରଣ ଆମ ଶରୀର ସହିତ ଏହି ସଂଖ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ମାନବ ଶରୀରରେ ନଅଟି ଦ୍ବାରା ଥାଏ, ଏବଂ ପ୍ରତ୍ୟେକ ଦ୍ବାରରେ ଜଣେ ଜଣେ ଶକ୍ତି ବାସ କରନ୍ତି, ନବଧାଭକ୍ତି , ପ୍ରତ୍ୟେକ ଭକ୍ତିର ଜଣେ ଜଣେ ରକ୍ଷକ ଦେବୀ ରହିଛନ୍ତି ପୁଣି ନବଚକ୍ର, ଯାହାର ନଅଜଣ ଦେବୀ ଅଧୀଷ୍ଠାତ୍ରୀ, ତେଣୁ ଏହି ବ୍ରତର ନାମ ନବରାତ୍ରୀ,

ନବରାତ୍ରୀ ହେଉଛି ସାଧନା ର ସମୟ, ଏହି ସମୟରେ ସାଧନା କଲେ ମାନବ ଶରୀରର ନବଚକ୍ର ନବଧାଭକ୍ତି ଓ ନବଦ୍ବାର ଜାଗ୍ରତ ହୋଇ ସାଂସାରିକ ମାୟାରୁ ଉନ୍ମୁକ୍ତ ହୋଇ ମଣିଦ୍ବୀପମହାଧାମ ରେ ବାସ କରିବାର ଯୋଗ୍ୟ ବିବେଚିତ ହୁଏ,
ଜଗତଗୁରୁ ଆଦିଶଙ୍କରାଚାର୍ଯ୍ୟ ଙ୍କ ବିରଚିତ #ସୌନ୍ଦର୍ଯ୍ୟଲହରୀ ରେ ମାଁ ପାର୍ବତୀଙ୍କ ପ୍ରଶ୍ନରେ ଭଗବାନ ଶିବ କହିଛନ୍ତି ଯେ

ନବଶକ୍ତିଭିଃ ସଂଯୁକ୍ତମ୍ ନବରାତ୍ରାଽନ୍ତ ଦ୍ୟୁଚ୍ୟତେ
ଏକମ୍ ଦେବଦେବେଶୀ ନବଧା ପରିତିଷ୍ଠିତା

ଅର୍ଥାତ୍:- ଏହି ସୃଜନ ପାଳନ ସଂହାର କରୁଥିବା ଆଦିପରାଶକ୍ତି ଦୁର୍ଗା ଙ୍କ ନବଧାକଳା ହିଁ ନବଦୁର୍ଗା ଯେଉଁମାନେ ଏହି ନଅଟି ରାତ୍ରି ରେ ପୂଜାପାଆନ୍ତି,

ଚଳିତ ବର୍ଷ ଚୈତ୍ର ନବରାତ୍ର ୧୨ ଏପ୍ରିଲ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୨୧ ଏପ୍ରିଲ ବୁଧବାର ରେ ଶେଷ ହେବ,
ଶ୍ରୀଦେବୀପୁରାଣ ରେ ବର୍ଣ୍ଣନା କରାଯାଇଛି ଯେ ନବରାତ୍ରୀ ରବିବାର ସୋମବାର ରେ ଆରମ୍ଭ ହେଲେ ମାଁ ଆଦିପରାଶକ୍ତି ହାତୀବାହାନ🐘 ରେ, ମଙ୍ଗଳବାର ଶନିବାର ରେ ଆରମ୍ଭ ହେଲେ ଅଶ୍ବବାହନ🐎 ରେ, ଗୁରୁବାର ଶୁକ୍ରବାର ରେ ଆରମ୍ଭ ହେଲେ ପାଲିଙ୍କିବାହାନ 🪂 ରେ ଓ ବୁଧବାର ରେ ଆରମ୍ଭ ହେଲେ ନୌକାବାହାନ🛶 ରେ ଆସି ଧରାବତରଣ କରନ୍ତି,
ଚଳିତ ବର୍ଷ ମା ଅଶ୍ବବାହନ ରେ ଆସି ନୌକାବାହାନରେ ଗମନ କରିବେ,

ନବରାତ୍ରୀ ବ୍ରତ ସର୍ବପ୍ରଥମେ କିଏ ପାଳନ କରିଥିଲେ:-
ବାସନ୍ତୀକ ଚୈତ୍ର ନବରାତ୍ର ବ୍ରତକୁ ଗଣେଶ ଓ କାର୍ତ୍ତିକଙ୍କ ପରାମର୍ଶ କ୍ରମେ ମହାରାଜା ଦେବୁଦାସ ଓ ମହର୍ଷି ବେଦବ୍ୟାସ ଙ୍କ ପରାମର୍ଶ କ୍ରମେ ସୁଶୀଳ ନାମକ ବଣିକ ସର୍ବପ୍ରଥମେ କରିଥିଲେ, ଓ ଶାରଦୀୟ ନବରାତ୍ର ବ୍ରତକୁ ସର୍ବପ୍ରଥମେ ରାମ ଓ ରାବଣ କରିଥିଲେ,

ବାସନ୍ତୀକନବରାତ୍ରୀରେଘଟିଥିବାଘଟଣାବଳୀ:-

ତୃତୀୟ କଳ୍ପର ପ୍ରଥମାବରଣରେ ଯେତେବେଳେ ମହିଷାସୁର ର ଅଭ୍ୟୁଦୟ ହୋଇଥିଲା ସେତେବେଳେ ସକଳ ଦେବଗଣ ଙ୍କ ଆବାହନରେ ମାଁ ଅଷ୍ଟାଦଶଭୁଜା ବୈକୃତିକ୍ ମହାଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ, ଏବଂ ଏହି ନଅଦିନ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ, ଏବଂ ସନ୍ଧିକ୍ଷଣରେ ମହିଷାସୁର ର ବଧ କରି ସୃଷ୍ଟିକୁ ରକ୍ଷା କରିଥିଲେ,

କିନ୍ତୁ ତୃତୀୟକଳ୍ପର ଚତୁର୍ଥାବରଣରେ ଯେତେବେଳେ ମହିଷାସୁର ର ଅଭ୍ୟୁଦୟ ହୋଇଥିଲା ସେତେବେଳେ ସକଳଦେବଗଣ ଙ୍କ ଆକୁଳ ପ୍ରାର୍ଥନାରେ ମାଁ ଆଦିପରାଶକ୍ତି ମହର୍ଷି କାତ୍ୟାୟନଙ୍କ କନ୍ୟାରୂପେ ଜନ୍ମ ନେଇ ରଣଚଣ୍ଡୀକାତ୍ୟାୟନୀ ରୂପେ ଆବିର୍ଭୂତା ହୋଇଥିଲେ, ଏବଂ ୨୧ ଦିନ ଧରି ମହାଯୁଦ୍ଧ କରି, ନିଜ ଶରୀରରୁ ନବଦୁର୍ଗା ଙ୍କୁ ଉତ୍ପନ୍ନ କରି ମହିଷାସୁର ର ବଧ କରିଥିଲେ,
ସେଥିପାଇଁ ସମସ୍ତ ନବରାତ୍ରୀ ମଧ୍ୟରେ #ବାସନ୍ତୀକ_ନବରାତ୍ରୀ ସର୍ବୋତ୍ତମ,

ଏବଂ ଏହି ବସନ୍ତଋତୁ କାଳୀନ ବସନ୍ତ ନବରାତ୍ରୀରେ ଭଗବାନ ବୀରଭଦ୍ର ଓ ମାଁ ଭଦ୍ରକାଳୀ ଙ୍କ ବିବାହ ହୋଇଥିଲା, ତେଣୁ ଏହାର ନାମ ପ୍ରଣୟ ନବରାତ୍ରୀ, ବୈବାହିକ ଜୀବନରେ ଅଶାନ୍ତି ଥିଲେ, ବିବାହ ହେଉନଥିଲେ ଯଦି ଏହି ନବରାତ୍ରୀ ପୂଜା କରାଯାଏ ତେବେ ଭଗବାନ ବୀରଭଦ୍ର ଓ ମାଁ ଭଦ୍ରକାଳୀ ଙ୍କ ଆଶୀର୍ବାଦ ରେ ସକଳ ରିଷ୍ଟ ଖଣ୍ଡନ ହୋଇଥାଏ,
ସାଧାରଣତଃ ବାସନ୍ତୀକ ଚୈତ୍ର ନବରାତ୍ରୀ ରେ ମାଁ ରଣଚଣ୍ଡୀକାତ୍ୟାୟନୀ ଦେବୀ ଙ୍କ ର ହିଁ ଅଧିକ ଉପାସନା କରାଯାଏ, କାରଣ ମାଁ ରଣଚଣ୍ଡୀକାତ୍ୟାୟନୀ ହେଉଛନ୍ତି ଆଦିପରାଶକ୍ତି ମାଁ ପରାମ୍ବିକାଦୁର୍ଗା ଙ୍କ ଯୋଦ୍ଧାସ୍ବରୂପ, ତେଣୁ ଦେବୀ ରଣଚଣ୍ଡୀକାତ୍ୟାୟନୀ ମଧ୍ୟ ତ୍ରିଗୁଣାତ୍ମିକା , ସେଥିପାଇଁ ନବରାତ୍ରୀର ପ୍ରଥମ ତିନିଦିନରେ ମହାକାଳୀ ଦ୍ବିତୀୟ ତିନିଦିନରେ ମହାଲକ୍ଷ୍ମୀ ଓ ଅନ୍ତିମ ତିନିଦିନରେ ମହାସରସ୍ଵତୀ ଙ୍କ ତତ୍ତ୍ଵସମ୍ପର୍ଣ୍ଣା ନବଦୁର୍ଗା ଙ୍କ ଉପାସନା କରାଯାଏ,

ତେବେ କିଏ ଏହି ନବଦୁର୍ଗା:-
ବରାହପୁରାଣୋକ୍ତ ହରି ହର ବ୍ରହ୍ମା ଙ୍କ ଦ୍ଵାରା ରଚିତ ସର୍ବଶକ୍ତିଶାଳୀ ଦୁର୍ଗାକବଚରେ ଏହି ଦେବୀ ଙ୍କ ବର୍ଣ୍ଣନା କରାଯାଇଛି,

ପ୍ରଥମଂ ଶୈଲପୁତ୍ରୀତି ଦ୍ୱିତୀୟଂ ବ୍ରହ୍ମଚାରିଣୀ ।
ତୃତୀୟଂ ଚନ୍ଦ୍ରଘଣ୍ଟେତି କୂଷ୍ମାଣ୍ଡେତି ଚତୁର୍ଥକମ୍ ॥

ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ ।
ସପ୍ତମଂ କାଲରାତ୍ରିଶ୍ଚ ମହାଗୌରୀତି ଚାଷ୍ଟମମ୍ ॥

ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତିତାଃ ।
ଉକ୍ତାନ୍ୟେତାନି ନାମାନି ବ୍ରହ୍ମଣୈବ ମହାତ୍ମନା ॥

ଶୈଳପୁତ୍ରୀ ମୂଳାଧାରଚକ୍ର ଅଧିଷ୍ଠାତ୍ରୀ, ବ୍ରହ୍ମଚାରିଣୀ ସ୍ବାଧିଷ୍ଠାନଚକ୍ର ଅଧିଷ୍ଠାତ୍ରୀ, ଚନ୍ଦ୍ରଘଣ୍ଟା ମଣିପୁରଚକ୍ର ଅଧିଷ୍ଠାତ୍ରୀ, କୁଷ୍ମାଣ୍ଡା ଅନାହତଚକ୍ର ଅଧିଷ୍ଠାତ୍ରୀ, ସ୍କନ୍ଦମାତା ବିଶୁଦ୍ଧିଚକ୍ର ଅଧିଷ୍ଠାତ୍ରୀ, କାତ୍ୟାୟନୀ ଆଜ୍ଞାଚକ୍ର ଅଧିଷ୍ଠାତ୍ରୀ, କାଳରାତ୍ରୀ ସହସ୍ରାରଚକ୍ର ଅଧିଷ୍ଠାତ୍ରୀ, ମହାଗୌରୀ ବ୍ରହ୍ମାଣ୍ଡଚକ୍ରାଧିଷ୍ଠାତ୍ରୀ, ସିଦ୍ଧିଦାତ୍ରୀ ବ୍ରହ୍ମବିତ୍ପ୍ଯୁତିଚକ୍ର ଅଧିଷ୍ଠାତ୍ରୀ , ଏହିମାନେ ହେଉଛନ୍ତି ନବଧାକଳା ରୂପିଣୀ ନବଦୁର୍ଗା,

(ପରାଶକ୍ତି ଲଳିତାମହାତ୍ରିପୁରାସୁନ୍ଦରୀ/ପରାମ୍ବିକାଦୁର୍ଗା ବ୍ରହ୍ମନିର୍ବାଣଚକ୍ର ଅଧିଷ୍ଠାତ୍ରୀ)

ନବରାତ୍ରୀବ୍ରତ କିପରି କରାଯାଏ:-??
ନବରାତ୍ରୀବ୍ରତ ତିନିପ୍ରକାରରେ କରାଯାଏ,
ମୂଳତଃ ନଅଦିନର ବ୍ରତ, ଏହାକୁ ନ କରି ପାରିଲେ ସପ୍ତମୀ ଅଷ୍ଟମୀ ନବମୀ ଏହି ତିନିଦିନ କିମ୍ବା ଗୋଟିଏ ଦିନ ଅଷ୍ଟମୀର ବ୍ରତ କରିଲେ ମଧ୍ୟ ଦେବୀଙ୍କର କୃପା ମିଳେ,
ଶ୍ରୀମଦ୍ଦେବୀଭାଗବତ ମହାପୁରାଣ ଅନୁସାରେ:-

ଅଶକ୍ତୋ ନିୟତଂ ପୂଜାଂ କର୍ତୁଂ ଚେନ୍ନବରାତ୍ରକେ।
ଅଷ୍ଟମ୍ଯା ଚ ବିଶେଷେଣ କର୍ତ୍ତବ୍ୟଂ ପୁଜନଂ ସଦା।।

ଅର୍ଥ:- ବ୍ୟାସଦେବ କହୁଛନ୍ତି:- ଯଦି କୌଣସି ବ୍ୟକ୍ତି ନବରାତ୍ରୀର ପ୍ରତ୍ୟେକ ଦିନ ପୂଜା କରିବାରେ ଅସମର୍ଥ ହୁଏ ତେବେ କେବଳ ଅଷ୍ଟମୀ ରେ ବିଶେଷ ପୂଜା କଲେ ସମାନ ଫଳ ମିଳେ,

ଉପବାସେ ହ୍ୟଶକ୍ତାନାଂ ନବରାତ୍ରବ୍ରତେ ପୁନଃ।
ଉପୋଷଣତ୍ରୟଂ ପ୍ରୋକ୍ତଂ ଯଥୋକ୍ତଫଳଦଂ ନୃପ।। ୧୨

ସପ୍ତମ୍ୟାଂ ଚ ତଥାଷ୍ଟମ୍ୟାଂ ନବମ୍ୟାଂ ଭକ୍ତିଭାବତଃ।
ତ୍ରିରାତ୍ରକରଣାତ୍ସର୍ବଂ ଫଳଂ ଭବତି ପୂଜନାତ୍ ।। ୧୩

ଅର୍ଥ:- ବ୍ୟାସଦେବ କହୁଛନ୍ତି:- ହେ ରାଜନ ଜନ୍ମେଜୟ ମାଁ ଆଦିପରାଶକ୍ତି ହେଉଛନ୍ତି ପରମଦୟାମୟୀ , ଭକ୍ତିଭାବରେ ତାଙ୍କୁ ମା ବୋଲି ଡାକିଦେଲେ ସେ ସକଳ କରୁଣାର ବାରି ବର୍ଷା କରନ୍ତି,😘❤️😍😍😭
ସମ୍ପୂର୍ଣ୍ଣ ନବରାତ୍ରୀବ୍ରତ ର ଉପବାସ ନକରି ପାରିଲେ କେବଳ ଅନ୍ତିମ ତିନିଦିନ (ସପ୍ତମୀ ଅଷ୍ଟମୀ ନବମୀ) ପୂଜା କଲେବି ମାଁ ଆଦିପରାଶକ୍ତି ସମାନ ଫଳ ଓ ଆଶୀର୍ବାଦ ପ୍ରଦାନ କରନ୍ତି, କାରଣ ମାଁ ଆଦିପରାଶକ୍ତି ମାଁ ଭେଦଭାବ କରନ୍ତି ନାହିଁ, ସେ ଜାତିଗୋତ୍ର ଦେଖନ୍ତି ନାହିଁ, ବର୍ଣ୍ଣ ଦେଖନ୍ତି ନାହିଁ, କେବଳ ପ୍ରେମ ଭକ୍ତି ସାଧନା କୁ ଦେଖନ୍ତି, ।।୧୨-୧୩

ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ:-

ଚଳିତ ବର୍ଷ ନବରାତ୍ରୀ ରେ କଳସ ସ୍ଥାପନ ର ଶୁଭମୂହୁର୍ତ୍ତ ୧୩ ଏପ୍ରିଲ ମଙ୍ଗଳବାର ଭୋର ୦୫:୨୮ ରୁ ଆରମ୍ଭ କରି ୧୦:୧୪ ପର୍ଯ୍ୟନ୍ତ ରହିଛି, ମୋଟ ଅବଧି ୪ଘଣ୍ଟା ୧୫ମିନିଟ୍ , ଏହି ମଧ୍ୟରେ କଳସ ସ୍ଥାପନ କରିବା ଉଚିତ,
ତେବେ କିଛି ନିୟମ:-
ସମ୍ପୂର୍ଣ୍ଣ ନଅଦିନ ର ବ୍ରତ କରି ପାରିଲେ ହିଁ କଳସ ସ୍ଥାପନ କରନ୍ତୁ, ତିନିଦିନ ବା ଗୋଟିଏ ଦିନ ପାଇଁ କଳସସ୍ଥାପନ କରନ୍ତୁ ନାହିଁ ,ନଚେତ୍ ଦେବୀ କ୍ରୋଧିତ ହୁଅନ୍ତି
ସମ୍ପୂର୍ଣ୍ଣ ନଅଦିନ ର ବ୍ରତ କରି ପାରିଲେ ହିଁ ଅଖଣ୍ଡଜ୍ୟୋତି ପ୍ରଜ୍ବଳନ କରନ୍ତୁ ଏବଂ ଅଖଣ୍ଡଜ୍ୟୋତି ପ୍ରଜ୍ବଳନ କରାଉଥିଲେ ଯେପରି ଜ୍ୟୋତି ନ ଲିଭେ ସେଥିପ୍ରତି ଧ୍ୟାନ ରଖିବା ଦରକାର,
ନବରାତ୍ରୀବ୍ରତ କରୁଥିଲେ:- ଲୁଣ, ଆମିଷ, ପୋଡ଼ାଦ୍ରବ୍ୟ, ଅନ୍ୟମାନଙ୍କ ଗୃହର ଖାଦ୍ୟ, ଅନ୍ନ,ଗହମ, ନଡିଆ, ବିଧବା ହାତର ଖାଦ୍ୟ, ଅନ୍ୟର ଅଇଁଠା, ଅଗାଧୁଆ ଲୋକର ଛାଈ ପଡ଼ିଥିବା ଖାଦ୍ୟ ଖାଆନ୍ତୁ ନାହିଁ, ନଚେତ୍ ବ୍ରତ ଖଣ୍ଡିତ ହୁଏ,
କେବଳ ଫଳ ,ଶାଗୁଦାନା, କ୍ଷୀର, ଦହି ଖାଇପାରନ୍ତି,

ନବରାତ୍ରୀବ୍ରତ କରୁଥିଲେ:- ସକାଳୁ ସକାଳୁ ବିଧବାନାରୀ,ଲଙ୍ଗଳାଛୁଆ, ମିଛୁଆ, ଗୋବ୍ରାହ୍ମଣନିନ୍ଦୁକ, ନାସ୍ତିକ ଙ୍କ ମୁଖ ଚାହାଁନ୍ତୁ ନାହିଁ, ଲେମ୍ବୁ ପାଣିକଖାରୁ କାଟନ୍ତୁ ନାହିଁ,

ନବରାତ୍ରୀବ୍ରତ କରୁଥିଲେ:- ଦିନରେ ଶୁଅନ୍ତୁ ନାହିଁ, ଭୂମିଶୟନ କରନ୍ତୁ, ତାନ୍ତ୍ରିକ ଙ୍କ ବ୍ୟତୀତ ଅନ୍ୟମାନେ କଳାରଙ୍ଗର ବସ୍ତ୍ର ପିନ୍ଧିବା ନିଷେଧ, ନଅଦିନ ଯାକ ଚୁଟି, ନିଶ, ଦାଢି କାଟନ୍ତୁ ନାହିଁ, ସ୍ତ୍ରୀସହବାସ ସମ୍ପୂର୍ଣ୍ଣ ନିଷେଧ,

((ଅନେକ ସମୟରେ କିଛି ବ୍ୟକ୍ତି ହସ୍ତମୈଥୁନ କରନ୍ତି, ଯାହାକୁ ଦେବୀ ପରାଶକ୍ତି ତୀବ୍ର ଘୃଣା କରନ୍ତି,))

ସକଳ ନାରୀ ଙ୍କୁ ମା ମାନି ପାଦତଳୁ ଦେଖିବାକୁ ଚେଷ୍ଟା କରନ୍ତୁ, ସ୍ତ୍ରୀଜାତି ର ସମ୍ମାନ କରନ୍ତୁ, ମିଛ କୁହନ୍ତୁ ନାହିଁ,,

ବାସନ୍ତୀ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭେଚ୍ଛା….
ଜୟ ଜଗନ୍ନାଥ
ଜୟ ମା କଟକ ଚଣ୍ଡୀ

Leave a comment

Design a site like this with WordPress.com
Get started