ଭାବ ଓ ଭଗବାନ

. ❀꧁❣️ଭାବ ଓ ଭଗବାନ❣️꧂❀

   ଜଣେ ଭିକାରି ଥିଲା। ତା’ ପାଖରେ ଭଗବାନଙ୍କ ଗୋଟିଏ ଛୋଟ ମୂର୍ତ୍ତି ଥିଲା। ସେଇ ମୂର୍ତ୍ତିକୁ ସେ ନିଜ ଅଣ୍ଟାରେ ଖୋସି ବୁଲୁଥିଲା। କେବେ ବି ପୂଜା କରୁ ନ ଥିଲା। ତେବେ ଖାଇବା ପୂର୍ବରୁ ଅଳ୍ପ କିଛି ତାଙ୍କ ସାମନାରେ ଥୋଇ ‘ଆପଣ ଖାଆନ୍ତୁ’ ବୋଲି କହି ନିଜେ ଖାଉଥିଲା। ଭିକ୍ଷୁକ ଯାହା ଭିକ୍ଷାରେ ପାଉଥିଲା ସେଥିରେ ଦିନକୁ ମାତ୍ର ଥରଟିଏ ଖାଉଥିଲା।

ଦିନେ ଏ କଥା ଦେଖିଲେ ଜଣେ ବ୍ରାହ୍ମଣ। ସେ ତାକୁ କହିଲେ- ହଇରେ ପାପୀ, ତୁ ଭଗବାନଙ୍କ ମୂର୍ତ୍ତିଟିଏ ରଖି ଏ କି କାରବାର କରୁଛୁ? ଏମିତି ପାପ କରନା। ମୋତେ ମୂର୍ତ୍ତିଟିକୁ ଦେଇ ଦେ।

ଭିକାରି କହିଲା- ଆଜ୍ଞା, ଖୁସିର କଥା। ସେ ଯେଉଁଠି ରହିବେ, ଭଲରେ ରହନ୍ତୁ।

ବ୍ରାହ୍ମଣ ମୂର୍ତ୍ତିଟି ନେଇ ଅତି ଶୃଙ୍ଖଳାର ସହିତ ପୂଜାର୍ଚ୍ଚନା କଲେ। କିଛି ଦିନ ପରେ ଥରେ ଏମିତି ପରିସ୍ଥିତି ସୃଷ୍ଟି ହେଲା, କଠୋର ଶୃଙ୍ଖଳାରେ ପୂଜା କରିବା କଷ୍ଟକର ହୋଇପଡ଼ିଲା। ବ୍ରାହ୍ମଣ ସ୍ଥିର କଲେ ପିତୁଳାଟିକୁ ଆଉ କାହାକୁ ଦେଇଦେବେ। କିନ୍ତୁ ସେମିତି କରିପାରିଲେ ନାହିଁ। କାରଣ ତାଙ୍କୁ ଭୟ ଲାଗିଲା ଯେ ଅନ୍ୟ କେହି ହୁଏତ ଏତେ ଶୃଙ୍ଖଳାର ସହିତ ପୂଜା କରି ନ ପାରନ୍ତି। ଏମିତିରେ ଭଗବାନ କ୍ରୋଧ କରିପାରନ୍ତି।

ଏମିତି ଚିନ୍ତାଗ୍ରସ୍ତ ଅବସ୍ଥାରେ ସେ ଶୋଇଥିବା ବେଳେ ଥରେ ରାତିରେ ସ୍ବପ୍ନ ଦେଖିଲେ ଯେ ଭଗବାନ ଆସି କହୁଛନ୍ତି- ବାବୁ, ତୁମେ ମୋତେ ଯେମିତି ପୂଜା କରୁଛ ସେଥିରେ ମୁଁ ଅବଶ୍ୟ ଖୁସି। କିନ୍ତୁ ତୁମ ପୂର୍ବରୁ ସେଇ ଭିକ୍ଷୁକ ମୋତେ ଯେମିତି ବ୍ୟବହାର ଦେଖାଉଥିଲା, ସେଥିରେ ବି ମୁଁ ଖୁସି ଥିଲି। ହେଲେ ତଫାତ୍‌ ହେଲା ତୁମ ମନରେ ମୋ ପ୍ରତି ଭୟ ଅଛି, ତା’ ମନରେ ମୋ ପ୍ରତି ପ୍ରଗାଢ଼ ସ୍ନେହ ଥିଲା। ତୁମ ପାଖରେ ମୁଁ ଭଲରେ ରହିବି ବୋଲି ବିଚାର କରି ସେ ଅକାତରେ ମୋତେ ତୁମକୁ ଦେଇ ଦେଲା ଓ ଆଶ୍ବସ୍ତ ହେଲା। କିନ୍ତୁ ତୁମେ ସେତିକି କରିବା ଲାଗି ଭାବିଲା ବେଳକୁ ଭୟରେ ଛାନିଆ ହୋଇଯାଉଛ।

ବ୍ରାହ୍ମଣଙ୍କ ନିଦ ଭାଙ୍ଗିଗଲା। ଏବେ ସେ ବୁଝିଲେ ପ୍ରକୃତରେ ଭଗବାନଙ୍କ ପ୍ରତି ଭାବ କେମିତି ହେବା ଉଚିତ।

. ସଂଗୃହୀତ

✿❁❣️༒ ଜୟ ଜଗନ୍ନାଥ ༒❣️❁✿

Leave a comment

Design a site like this with WordPress.com
Get started