ଶ୍ରୀମନ୍ଦିରରେ ଏକାନ୍ତ ନୀତି-

-ଶ୍ରୀମନ୍ଦିରରେ ଏକାନ୍ତ ନୀତି-

ଗୁରୁବାର ରାତିରେ ଏକାନ୍ତ ନୀତି ଅନୁଷ୍ଠିତ ହୋଇଥାଏ। ଦୁଇଖଣ୍ଡ ଆଜ୍ଞାମାଳ ଶ୍ରୀ ଜଗନ୍ନାଥ ଙ୍କର ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ। ଖଣ୍ଡିଏ ତୁଳସୀ ମିଶା ମାଳ ଦକ୍ଷିଣ ଭୁଜରେ ଓ ଖଣ୍ଡିଏ ସାଧା ମାଳ ବାମ ଭୁଜ ରେ ଲାଗି କରାଯାଇଥାଏ। ସନ୍ଧ୍ୟା ଧୂପ ପରେ ମହାଜନ ସେବକମାନେ ମଦନମୋହନଙ୍କୁ ଦକ୍ଷିଣ ଘରୁ ନେଇ ରତ୍ନସିଂହାସନ ଉପରେ ବିଜେ କରାଇବେ। ଠାକୁର ବିଜେ ସମୟରେ ଛାମୁ ଦିହୁଡି ଧରିଥିବେ। ରତ୍ନସିଂହାସନ ରେ ବିଜେ କଲାପରେ ପୂଜାପଣ୍ଡା ଉପରୋକ୍ତ ଆଜ୍ଞାମାଳ କୁ ଆଣି ଖଣ୍ଡିଏ (ତୁଳସୀ ମିଶା) ମଦନମୋହନଙ୍କୁ ଓ ଖଣ୍ଡିଏ (ସାଧା) ଲକ୍ଷ୍ମୀ ଙ୍କୁ ଲାଗି କରାଇବେ। ବିମାନବଡୁ ବିମାନଘରୁ ପାଲିଙ୍କି ଆଣି ଝୁଲଣ ମଣ୍ଡପ ତଳେ ରଖିବେ।ଏହାପରେ ମହାଜନମାନେ ଲକ୍ଷ୍ମୀ ଓ ମଦନମୋହନଙ୍କୁ ରତ୍ନସିଂହାସନ ରୁ ଆଣି ବିମାନରେ ବିଜେ କରାଇବେ। ଘଣ୍ଟୁଆ ଘଣ୍ଟ ବଜାଇବେ। ଛତାର ଛତା ଧରିବେ। ବିମାନ ବଡୁ ମାନେ ବିମାନ ବୋହି ନେଇ ସରସ୍ଵତୀ ଭୁବନେଶ୍ୱରୀ ମନ୍ଦିର ଆଗରେ ଥିବା ନିଶାନୃସିଂହ ଙ୍କ ନିକଟରେ ଓହ୍ଲାନ୍ତି। ମହାଜନମାନେ ଛତା, ଦିହୁଡି,ଘଣ୍ଟା ସହ ଠାକୁର ଠାକୁରାଣୀଙ୍କୁ ହାତରେ ବିଜେ କରାଇ ସରସ୍ଵତୀ ମନ୍ଦିର ଦେଇ ଲକ୍ଷ୍ମୀ ଙ୍କ ଜଗମୋହନ କୁ ଯାଆନ୍ତି। ସେଠାରେ ଆଗରୁ ପଡ଼ିଥିବା ପଲଙ୍କ ଉପରେ ଠାକୁର ଠାକୁରାଣୀଙ୍କୁ ବିଜେ କରାନ୍ତି। ଭିତରଛ ପ୍ରସାଦ ଲାଗି କରାନ୍ତି। ସୁଦୁସୁଆର ବା ଆସ୍ଥାନ ପଢିଆରୀ ପୂଜା ଠା କରନ୍ତି। ଦୁଇସରା କୋରାଭୋଗ ସକାଶେ ଯୋଗାହୁଏ। ପୂଜାପଣ୍ଡା ପୂଜା ରେ ବସନ୍ତି। ପୂଜା ଶେଷରେ(ଭୋଗପରେ) କର୍ପୁର, ବଳିତା ଆଳତି ହୁଏ, ଅକ୍ଷତ ବନ୍ଦାପନା ଭିତରଚ୍ଛ ଙ୍କ ଦ୍ଵାରା ହୁଏ। ଏହାପରେ ଠାକୁର ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ସାତ ପାହାଚ ବାଟେ ଗରୁଡ ସାମ୍ନା ଜଗମୋହନ ରେ ଓହ୍ଲାନ୍ତି। ଲକ୍ଷ୍ମୀ ରତ୍ନସିଂହାସନ କୁ ଏବଂ ମଦନମୋହନ ଦକ୍ଷିଣ ଘରକୁ ବିଜେ କରନ୍ତି।

ବିଦ୍ର- ଜନ୍ମାଷ୍ଟମୀ ଠାରୁ କଂସବଧ (ଭାଦ୍ରବ କୃଷ୍ଣ ପକ୍ଷ ଦଶମୀ) ପର୍ଯ୍ୟନ୍ତ ଏକାନ୍ତ ହୁଏନାହିଁ। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ଏକାନ୍ତ ହୁଏନାହିଁ। କୁମାର ପୂର୍ଣ୍ଣିମା ଠାରୁ ୭ ଦିନ ପର୍ଯ୍ୟନ୍ତ ଯେଉଁ ଗୁରୁବାର ପଡେ ସେଦିନ ଏକାନ୍ତ ହୁଏନାହିଁ। ସୀତା ଚୋରି (ରାମ ନବମୀ ଠାରୁ) ପୁଷ୍ୟାନକ୍ଷତ୍ର ଅଭିଷେକ ପର୍ଯ୍ୟନ୍ତ ଏକାନ୍ତ ହୁଏନାହିଁ। ସ୍ନାନପୂର୍ଣ୍ଣମୀ ଠାରୁ ଦିଅଁ ରଥଯାତ୍ରା ସାରି ରତ୍ନସିଂହାସନ କୁ ଫେରିବା ପର୍ଯ୍ୟନ୍ତ ଗୁରୁବାର ନୀତି ( ମାଜଣା ବା ଏକାନ୍ତ) ହୁଏନାହିଁ। ସହସ୍ର କୁମ୍ଭ ଅଭିଷେକ ଠାରୁ ଦଶହରା ପର୍ଯ୍ୟନ୍ତ ଏକାନ୍ତ ହୁଏନାହିଁ।

ଚନ୍ଦନଯାତ୍ରା ୨୧ ଦିନ (ଅକ୍ଷୟ ତୃତୀୟାଠାରୁ ହଳଦୀ ପାଣି) ଯାଏ ଚନ୍ଦନ ବେଢାରେ ମାଜଣା ହୁଏ ଓ ଚନ୍ଦନ ରୁ ଫେରିଲେ ଏକାନ୍ତ ହୁଏ।ଚନ୍ଦନ ବାହୁଡ଼ା ରୁ ମଦନମୋହନ ଓ ଲକ୍ଷ୍ମୀ ଏକାନ୍ତ ବିଜେ ହୁଅନ୍ତି। ସରସ୍ଵତୀ ବିମାନ ରୁ ହାତରେ ବିଜେ ହୋଇ ରତ୍ନ ସିଂହାସନ କୁ ଯାଆନ୍ତି।

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ।

Leave a comment

Design a site like this with WordPress.com
Get started