ବୈଶାଖକୃଷ୍ଣବରୁଥିନିଏକାଦଶୀ_ମାହାତ୍ମ୍ୟ

🌹#ଶ୍ରୀଏକାଦଶୀବ୍ରତମାହାତ୍ମ୍ୟ 🌹 🌹#ବୈଶାଖକୃଷ୍ଣବରୁଥିନିଏକାଦଶୀ_ମାହାତ୍ମ୍ୟ🌹

ଯୁଧିଷ୍ଠିର କହିଲେ – ହେ ବାସୁଦେବ ! ଆପଣଙ୍କୁ ନମସ୍କାର । ବୈଶାଖ ମାସର କୃଷ୍ଣ ପକ୍ଷ ଏକାଦଶୀ କି ନାମରେ ପ୍ରସିଦ୍ଧ ଏବଂ ତାହାର ମହିମା କି ପ୍ରକାର ତାହା କୃପାପୂର୍ବକ ଆମକୁ କୁହନ୍ତୁ । ଶ୍ରୀକୃଷ୍ଣ କହିଲେ- ହେ ରାଜା ! ଇହଲୋକରେ ଓ ପରଲୋକରେ ବୈଶାଖ କୃଷ୍ଣ ପକ୍ଷ ଏକାଦଶୀ ବରୁଥିନୀ ନାମରେ ବିଖ୍ୟାତ । ଏହି ବ୍ରତଦ୍ୱାରା ସର୍ବଦା ସୁଖ ଲବ୍ଧ ହୁଏ ଏବଂ ପାପକ୍ଷୟ ଓ ସୌଭାଗ୍ୟପ୍ରାପ୍ତି ଘଟେ । ଦୁର୍ଭାଗା ସ୍ତ୍ରୀଲୋକ ଏହି ବ୍ରତ ଆଚରଣ କଲେ ସୌଭାଗ୍ୟ ଲାଭ କରିଥାଏ । ଏହି ବ୍ରତ ସମସ୍ତ ମାନବର ଭୁକ୍ତି ଓ ମୁକ୍ତି ପ୍ରଦାନ କରେ , ସର୍ବପାପ ହରଣ ଏବଂ ଗର୍ଭବାସରେ ଯନ୍ତ୍ରଣା ବିନାଶ କରେ । ବରୁଥିନୀ ବ୍ରତଦ୍ୱାରା ମାନ୍ଧାତା ସ୍ୱର୍ଗଲୋକ ପ୍ରାପ୍ତ ହେଲେ । ଧୁନ୍ଧୁମାରାଦି ଅନ୍ୟାନ୍ୟ ବହୁତ ନୃପତି ରାଜା ଏହି ବ୍ରତ ଫଳରେ ସ୍ଵର୍ଗଗତି ଲାଭ କରିଛନ୍ତି । ଏପରିକି ଶିବ ମଧ୍ୟ ଏହି ବ୍ରତ ପ୍ରଭାବରେ ବ୍ରହ୍ମକପାଳଠାରୁ ନିର୍ମୁକ୍ତ ହୋଇଥିଲେ । ମନୁଷ୍ୟ ଦଶ ସହସ୍ର ବର୍ଷ ତପସ୍ୟା କରି ଯେଉଁ ଫଳ ଲାଭ କରେ , ଏହି ବ୍ରତ ଆଚରଣରେ ତତ୍ତୁଲ୍ୟ ଫଳ ପ୍ରାପ୍ତି ହୁଏ । ଯେଉଁ ଶ୍ରଦ୍ଧାବାନ ବ୍ୟକ୍ତି ଏହି ବ୍ରତ ପାଳନ କରେ , ସେ ଇହଲୋକ ଓ ପରଲୋକରେ ବାଞ୍ଛିତ ଫଳ ଲାଭ କରେ । ହେ ନୃପଶ୍ରେଷ୍ଠ ! ଏହି ପବିତ୍ର ଏକାଦଶୀ ବ୍ରତପାଳନକାରୀଗଣଙ୍କର ପବିତ୍ରତା ସମ୍ପାଦନ , ମହାପାତକ ନାଶକରଣ ଏବଂ ଭୁକ୍ତି ମୁକ୍ତି ପ୍ରଦାନ କରିଥାଏ । ହେ ନୃପଶ୍ରେଷ୍ଠ ! ଅଶ୍ବ ଦାନଠାରୁ ଗଜଦାନ ଶ୍ରେଷ୍ଠ , ଗଜଦାନଠାରୁ ଭୂମିଦାନ , ତାହାଠାରୁ ଶସ୍ୟଦାନ , ଶସ୍ୟଦାନଠାରୁ ସ୍ବର୍ଣ୍ଣଦାନ ଏବଂ ତାହାଠାରୁ ଅନ୍ନଦାନ ଶ୍ରେଷ୍ଠ । ଅନୁଦାନଠାରୁ ଶ୍ରେଷ୍ଠ କୌଣସି ଦାନ ନାହିଁ ବା ହୋଇପାରିବ ନାହିଁ । ପିତୃଗଣ , ଦେବଗଣ ଓ ମନୁଷ୍ୟଗଣଙ୍କର ଅନ୍ନଦ୍ଵାରାହିଁ ତୃପ୍ତି ଜନ୍ମେ। ପଣ୍ଡିତଗଣ କନ୍ୟାଦାନକୁ ଅନ୍ନଦାନ ସହିତ ସମାନ ବୋଲି କହିଥାନ୍ତି । ସ୍ୱୟଂ ଭଗବାନ ଧେନୁ ( ଗାଭୀ ) ଦାନକୁ ତତ୍ତୁଲ୍ୟ କହିଅଛନ୍ତି । ପୂର୍ବୋକ୍ତ ସମସ୍ତ ଦାନ ଅପେକ୍ଷା ବିଦ୍ୟାଦାନ ଶ୍ରେଷ୍ଠ । ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ମାନବଗଣ ଏହି ବ୍ରତ ପାଳନ କରି ଉକ୍ତ ବିଦ୍ୟାଦାନର ସମାନ ଫଳଲାଭ କରିଥାନ୍ତି । ପାପମୋହିତ ଯେଉଁ ସମସ୍ତ ମନୁଷ୍ୟ କନ୍ୟାର ଧନଦ୍ୱାରା ଜୀବନଧାରଣ କରନ୍ତି , ସେମାନେ ପୁଣ୍ୟ କ୍ଷୟବଶତଃ ଯାତନାମୟ ନର୍କକୁ ଗମନ କରନ୍ତି । ଅତଏବ ସମସ୍ତ ପ୍ରଯତ୍ନର ସହିତ କେତେବେଳେ ହେଲେ କନ୍ୟାର ଧନ ଗ୍ରହଣକରିବେ ନାହିଁ । ପୂର୍ବ ପୁଣ୍ୟ ଫଳରେ ଯେଉଁ ବ୍ୟକ୍ତି ଅଳଙ୍କୃତା ସହ କନ୍ୟାଦାନ କରେ , ତାହାଙ୍କର ପୁଣ୍ୟ ସଂଖ୍ୟା ନିରୂପଣ କରିବାରେ ସ୍ୱୟଂ ଚିତ୍ରଗୁପ୍ତ ମଧ୍ୟ ସମର୍ଥ ହୁଅନ୍ତି ନାହିଁ । ମନୁଷ୍ୟ ମାତ୍ରେ ହିଁ , ‘ ବରୁଥିନୀ ’ ବ୍ରତ ପାଳନ କରି କନ୍ୟାଦାନ ତୁଲ୍ୟ ଫଳଲାଭ କରିଥାଏ । କାଂସ୍ୟା , ମାଂସ , ମୟୂର , ଚନକ , କୋଦ୍ରବ , ଶାକ , ମଧୁ , ପରାନ୍ନ , ପୁନଃଭୋଜନ ଓ ମୈଥୁନ ଏହି ଦଶଟି ବ୍ରତକାରୀ ଦଶମୀ ଦିନ ପରିତ୍ୟାଗ କରିବେ । ଦ୍ୟୁତକ୍ରୀଡ଼ା , ତାମ୍ବୁଳ , ନିଦ୍ରା , ଦନ୍ତଧାବନ , ପରାପବାଦ , ପୈଶୂନ୍ୟ , ଚୌର୍ଯ୍ୟ , ହିଂସା , ମୈଥୁନ , କ୍ରୋଧ ଓ ମିଥ୍ୟା ବାକ୍ୟ – ଏକାଦଶୀ ଦିନରେ ପରିତ୍ୟଜ୍ୟ । କାଂସ୍ୟ , ମାଂସ , ସୁରା , ମଧୁ , ତୈଳ , ପତିତ ସମ୍ଭାଷଣ , ବ୍ୟାୟାମ , ପୁନର୍ଭୋଜନ , ମୈଥୁନ , ପ୍ରବାସ ଏବଂ ମଧୁରାନ୍ନ –ଦ୍ଵାଦଶୀ ଦିନରେ ଏହି କେତୋଟି ପରିତ୍ୟାଗ କରିବେ ।ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ହେ ରାଜା ! ଏହି ବିଧି ଅନୁସାରେ ବରୁଥିନୀ ବ୍ରତ ପାଳନପୂର୍ବକ ରାତ୍ରି ସମୟରେ ମଧୁସୂଦନଙ୍କର ପୂଜା ଓ ଜାଗରଣ କଲେ ମାନବଗଣ ପୂର୍ବପାପରୁ ମୁକ୍ତହୋଇ ପରମାଗତି ଲାଭ କରନ୍ତି । ଅତଏବ ପାପଭୀରୁ ବ୍ୟକ୍ତିଗଣଙ୍କର ସମସ୍ତ ପ୍ରଯତ୍ନରେ ସୂର୍ଯ୍ୟ କୁମାର ( ତନୟ ) ଯମରାଜଙ୍କର ଯାତନାରୁ ପରିତ୍ରାଣ ନିମିତ୍ତ ଏହି ବରୁଥିନୀ ବ୍ରତ ପାଳନ କରିବା କର୍ତ୍ତବ୍ୟ । ଏହି ବ୍ରତ କଥା ପଠନ ଓ ଶ୍ରବଣ କରିବାଦ୍ୱାରା ଗୋ ସହସ୍ର ଦାନର ଫଳଲାଭ ପୂର୍ବକ ମନୁଷ୍ୟ ସମସ୍ତ ପାପରୁ ମୁକ୍ତହୋଇ ବିଷ୍ଣୁ ଲୋକକୁ ଗମନ କରେ ।

Leave a comment

Design a site like this with WordPress.com
Get started