❣️ଦଧିନଉତିର ଚିତା❣️

ଶ୍ରୀଜଗନ୍ନାଥ ମନ୍ଦିରର ଦଧିନଉତିରେ ଏକ ତ୍ରିଶାଖା ଚିତା ଅଙ୍କିତ ହୋଇଛି। ଏହାକୁ କେତେକ ‘ରାମାନନ୍ଦୀ ଚିତା’ ବୋଲି କହନ୍ତି। ପ୍ରକୃତରେ କିନ୍ତୁ ଏହା ‘ରାମାନୁଜୀ ଚିତା’। ଭାରତବର୍ଷର ବୈଷ୍ଣବଧାରାରେ ‘ରାମାନୁଜ’ ଓ ‘ରାମାନନ୍ଦ’ ନାମରେ ଦୁଇଜଣ ରାମ ଉପାସକ ବୈଷ୍ଣବ ଥିଲେ। ସେମାନଙ୍କ ମଧ୍ୟରୁ ରାମାନୁଜ ଅଗ୍ରଜ। ତାଙ୍କର ସମୟ ଏକାଦଶ-ଦ୍ୱାଦଶ ଶତାବ୍ଦୀ। କିନ୍ତୁ ରାମାନନ୍ଦଙ୍କର ସମୟ ଚତୁର୍ଦ୍ଦଶ ଶତାବ୍ଦୀ। ବୈଶାଖ ଶୁକ୍ଳ ଷଷ୍ଠୀ ତିଥିରେ ରାମାନୁଜଙ୍କର ଆବିର୍ଭାବ ଘଟିଥିଲା।

ରାମାନୁଜ ଥିଲେ ସୁପଣ୍ଡିତ। ସେ ବେଦ, ଉପନିଷଦ ଆଦି ଅଧ୍ୟୟନ କରିଥିଲେ ମଧ୍ୟ, ‘ବିଷ୍ଣୁପୁରାଣ’ ଓ ‘ଭାଗବତ ପୁରାଣ’ ଥିଲା ତାଙ୍କର ଦିବ୍ୟଗ୍ରନ୍ଥ। ଏସବୁର ମହତ୍ତ୍ୱ ତାଙ୍କର ଦୃଷ୍ଟିକୋଣକୁ ପରିମାର୍ଜିତ କରିଥିଲା। ତାଙ୍କର ମତ ଥିଲା- ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସମସ୍ତ ଅଶୁଭଗୁଣ ମୁକ୍ତ ଏବଂ ସମସ୍ତ ଶ୍ରେଷ୍ଠ ଓ କଲ୍ୟାଣଗୁଣ ଯୁକ୍ତ। ସେ ବ୍ରହ୍ମ ହେଲେ ହେଁ ନିର୍ଗୁଣ ନୁହନ୍ତି। ସେଥିପାଇଁ ସେ ବିଗ୍ରହ ଧାରଣ କରିଛନ୍ତି। ଭକ୍ତଙ୍କ ପ୍ରତି ଅନୁଗ୍ରହ କରି ସେ ମୂର୍ତ୍ତି ବା ପ୍ରତିମାରେ ପ୍ରକଟ ହୋଇଛନ୍ତି।

ଭାରତବର୍ଷର ଅନ୍ୟାନ୍ୟ ତୀର୍ଥ ଭ୍ରମଣ କରିବା ପରେ, ରାମାନୁଜ ଓଡ଼ିଶା ଆସିଥିଲେ। ଶ୍ରୀକ୍ଷେତ୍ର ପୁରୀରେ ରହି ଶ୍ରୀଜଗନ୍ନାଥଙ୍କ ପୂଜାବିଧିରେ କେତେକ ପରିବର୍ତ୍ତନ କରିବାକୁ ଚାହିଁଥିଲେ। କିନ୍ତୁ ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗଦେବ ତାଙ୍କ ଦ୍ୱାରା ପ୍ରଭାବିତ ହେଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ପୂଜାବିଧିରେ ବିଶେଷ ପରିବର୍ତ୍ତନ ଘଟିପାରି ନଥିଲା। ତେବେ ତାଙ୍କର ପ୍ରଭାବରେ ଦେବୀ ଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଶ୍ରୀମନ୍ଦିରର ଦଧିନଉତିରେ ରାମାନୁଜୀ ଚିତା ସେହି ସମୟରୁ ଶୋଭାପାଉଛି। ପଣ୍ଡିତ ନୀଳକଂଠ ଦାସ ଏ ସଂପର୍କରେ ଲେଖିଛନ୍ତି- ଶ୍ରୀମନ୍ଦିର ଦଧିନଉତିର ବେଣ୍ଟଲଗା ତ୍ରିଶାଖା ଚିତା ହେଉଛି ରାମାନୁଜୀ ଚିତା। ତାଙ୍କରି ପ୍ରଭାବରେ ଗଙ୍ଗବଂଶର ଆଦି ରାଜାମାନେ ଶ୍ରୀଜଗନ୍ନାଥଙ୍କ ଖଟଣିରେ ଦେବଦାସୀ ବା ମାହାରୀ ପ୍ରଥାର ପ୍ରବେଶ ଘଟାଇଥିଲେ।

ଏ ସଂପର୍କରେ ବିଶେଷ ଉଲ୍ଲେଖନୀୟ ଯେ ଦେବଦାସୀ ବା ମାହାରୀମାନେ ସେମାନଙ୍କ ବେଶଭୂଷାରେ, ମସ୍ତକରେ ଯେଉଁ ତ୍ରିଶାଖା କିରୀଟ ପିନ୍ଧୁଥିଲେ- ତାହା ଏହି ରାମାନୁଜୀ ତ୍ରିଶାଖା ଚିତାର ଏକ ପ୍ରତୀକ।

✿❁❣️ ଶ୍ରୀ ଜଗନ୍ନାଥ ଶରଣଂ ❣️❁✿

Leave a comment

Design a site like this with WordPress.com
Get started