ଟାହିଆ

ମଦନମୋହନଙ୍କଟାହିଆଚନ୍ଦନଯାତ୍ରା

ସ୍ନାନ,ରଥ,ବାହୁଡ଼ା ଓ ନୀଳାଦ୍ରି ବିଜେ ରେ ହେଉଥିବା ପହଣ୍ଡି ସମୟରେ ରାଘବ ଦାସ ମଠ ରୁ ଆସିଥିବା ଟାହିଆ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। ବାଉଁଶ,ସୋଲ, ଫୁଲ ଆଉ ତୁଳସୀ ରେ ତିଆରି ହୋଇଥିବା ବିରାଟ ଟାହିଆ ଭକ୍ତ ମାନଙ୍କୁ ଆକର୍ଷିତ କରିଥାଏ।

ସେହିପରି ଭାବରେ ଚନ୍ଦନ ଯାତ୍ରା ସମୟରେ ମଧ୍ୟ ପ୍ରତ୍ୟେକ ଦିନ ମଦନମୋହନଙ୍କୁ ସୁନ୍ଦର ଟାହିଆ ଲାଗି ହେଇଥାଏ। ଏହି ଟାହିଆ କିନ୍ତୁ କୈାଣସି ମଠ ଦ୍ଵାରା ତିଆରି ହୁଏନି ବରଂ କାହିଁ ବହୁ ବର୍ଷରୁ ଦଇତାପଡା ସାହି ର ଶ୍ରୀ ଅବଧୂତ ପଟ୍ଟନାୟକ ଙ୍କ ପରିବାର ଦ୍ଵାରା ତିଆରି ହୁଏ।

ଏହି ବୈଷ୍ଣବ ପରିବାର ଅତ୍ୟନ୍ତ ନିଷ୍ଠାର ସହ ଏହି ଟାହିଆ କରନ୍ତି। ଦେଖିବାକୁ ଟାହିଆ ଟି ଛୋଟ କିନ୍ତୁ ଏହା ପୁରା ଦିନ ଆଉ ବହୁତ ଲୋକଙ୍କ ର ପରିଶ୍ରମ ରେ ତିଆରି ହୁଏ।

ମଦନମୋହନଙ୍କ ର ଏହି ଟାହିଆ ପାଇଁ ବର ପତ୍ର, ଖଡ଼ିକା, କଦଳୀ ପଟୁକା, ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲ ର କଢ ର ଆବଶ୍ୟକତା ପଡ଼ିଥାଏ। ଚନ୍ଦନ ଯାତ୍ରା ରେ ମହାପ୍ରଭୁଙ୍କ ର ଟାହିଆ ସମସ୍ତ ବାସ୍ନା ଫୁଲର କଢରେ ତିଆରି ହୁଏ। ବଉଳ ଫୁଲ, ଗୋଲାପ ସହ ମଲ୍ଲି, ଯୁଇ,ଯାଇ, ଚମ୍ପା, କାଠ ରଙ୍ଗଣୀ, ଅଁଳେଇ ଇତ୍ୟାଦି ର କଢ ସଂଗ୍ରହ କରାଯାଏ।

ଟାହିଆ ଟି ଛୋଟ ହୋଇଥିବାରୁ ଏଥିରେ ହେଉଥିବା କାରୁକାର୍ଯ୍ୟ ମଧ୍ୟ ସୂକ୍ଷ୍ମ । ବିଭିନ୍ନ ଆକୃତି ର ଛାଞ୍ଚ ରେ ଅତି ସତର୍କତାର ସହ ବର ପତ୍ର ଗୁଡ଼ିକୁ କଟାଯାଏ।ତା’ ପରେ ସେହି ପତ୍ର ରେ ଫୁଲ ର କଢ ଗୁଡ଼ିକୁ କଦଳୀ ପଟୁକା ଓ ସୂକ୍ଷ୍ମ ଛୁଞ୍ଚି ସାହାଯ୍ୟରେ ଗୁନ୍ଥା ଯାଏ। ଏହିପରି ବିଭିନ୍ନ ଆକୃତି ର ଫୁଲକଢର ରେଖାଚିତ୍ରକୁ ଖଡ଼ିକା କାଠି ରେ ଗୁନ୍ଥି ଏକ ସୁନ୍ଦର ମନୋହର ଟାହିଆ ର ରୂପ ଦିଆଯାଏ। ସନ୍ଧ୍ୟା ସମୟରେ ଠାକୁର ଏ ଟାହିଆ ଟି ପିନ୍ଧିବା ସମୟରେ ସେଇ କଢ ଗୁଡ଼ିକ ଆସ୍ତେ ଆସ୍ତେ ଫୁଟି ଅପୂର୍ବ ଦେଖାଯାଆନ୍ତି।

ଏହି କାର୍ଯ୍ୟ ପାଇଁ ଏକାଗ୍ରତା ଓ ନିଷ୍ଠା ସହ ସମର୍ପଣ ମଧ୍ୟ ଆବଶ୍ୟକ। ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ପରିବାର, ବନ୍ଧୁ ବାନ୍ଧବ ଓ ଅନ୍ୟାନ୍ୟ ବୈଷ୍ଣବ ଏହି ଟାହିଆ ତିଆରି ରେ ନିଜକୁ ନିୟୋଜିତ କରି ଧନ୍ୟ ମନେ କରନ୍ତି। ସମସ୍ତେ ନିୟମ ମାନି ଶୃଙ୍ଖଳିତ ଭାବରେ ଏହି ଟାହିଆ ତିଆରି କାର୍ଯ୍ୟ ସମ୍ପାଦିତ କରିଥାନ୍ତି।

@ସଂଗୃହିତ

Leave a comment

Design a site like this with WordPress.com
Get started