.
❀❣️ଶ୍ରୀମନ୍ଦିରରେ ଫରାସୀ ଘଣ୍ଟି❣️❀

କଥାରେ କୁହା ଯାଇଛି ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର l ବିଶ୍ୱାସ ହିଁ ମୂଳ l ହିନ୍ଦୁ, ଖ୍ରିଷ୍ଟିୟାନ, ମୁସଲମାନ ଯେ କେହି ହେଉ l
ଏହିସତ୍ୟ ପ୍ରଚାର କରି, ଶ୍ରୀମନ୍ଦିର ପରିସର ମଧ୍ୟରେ ରହିଛି ଏକ ଆଶ୍ଚର୍ଯ୍ୟ ଘଣ୍ଟି l
ଗୋଟିଏ ଜଳ ଜାହାଜ, ଫ୍ରାନ୍ସର ଗୋଟିଏ ବନ୍ଦରରୁ, ଯାତ୍ରା କରୁଥାଏ, ଫ୍ରାନ୍ସ ଉପନିବେଶ ପଣ୍ଡିଚେରୀ ଅଭିମୁଖେ l
ଜାହାଜରେ ଯାଉଥାଏ, ପଣ୍ଡିଚେରୀର ଏକ ଚର୍ଚ୍ଚ ଉଦ୍ଦେଶ୍ୟରେ, ବିରାଟ ଧାତବ ଘଣ୍ଟି l
ଜାହାଜରେ କ୍ୟାପଟେନ ଥାଆନ୍ତି ଅଭିଜ୍ଞ ଅଧିନାୟକ କ୍ୟାପଟେନ ବିଟୋ l
ତାଙ୍କ ଜୀବନକାଳରେ ସେ ବହୁବାର ବିଭିନ୍ନ ବିପଦର ସଫଳ ମୁକାବିଲା କରି ଆସିଛନ୍ତି l
ଜାହାଜ ନିର୍ବିଘ୍ନରେ ସମୁଦ୍ରରେ ଗତି କରୁଥାଏ l
ହଠାତ ଜଣେ କର୍ମଚାରୀ ଦୂରବିନରେ ଦେଖିଲେ, ଅଦୂରରେ, ଗୋଟିଏ ବିରାଟକାୟ ଜଳଜୀବ, ତାଙ୍କ ଜାହାଜ ଆଡ଼କୁ ମାଡ଼ି ଆସୁଛି l
ବିପଦ ଆଶଙ୍କା କରି, ସେ କ୍ୟାପଟେନ ବିଟୋଙ୍କୁ ଯାଇ ତୁରନ୍ତ ଖବର ଦେଲେ l
ବିଟୋ ଆସି ସେ ଦୃଶ୍ୟଟି ଦେଖିଲେ, କିନ୍ତୁ ଅଭିଜ୍ଞ କ୍ୟାପଟେନ ବୁଝି ଗଲେ, ଏହା କୌଣସି ଜୀବ ନୁହେଁ,ଏହା ଗୋଟିଏ ଭୟଙ୍କର ସାମୁଦ୍ରିକ ଝଡ଼ l ଭୀଷଣ ବିପଦ ମାଡ଼ି ଆସୁଛି l ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନଥାଏ l
ସେ ଜାହାଜଟିକୁ ରକ୍ଷା କରିବା ଚିନ୍ତାରେ ଇତସ୍ତତଃ ବୁଲି ସମସ୍ତଙ୍କୁ ସତର୍କ କରାଇବା ସହ ବିପଦ ଘଣ୍ଟିଟି ବଜାଇ ଦେଲେ l
ସମସ୍ତେ ବଡ଼ ଆତଙ୍କିତ ହୋଇ କ’ଣ ହେବ ବୋଲି ଭାବି ହେଉ ଥାଆନ୍ତି l
କୋଳାହଳ ଭିତରେ କ୍ୟାପଟେନ ବିଟୋ ଦେଖିଲେ, ଜଣେ କର୍ମଚାରୀ, ସ୍ଥିର ହୋଇ ବସି, ଗୋଟିଏ ଫଟୋକୁ ନିରିଖେଇକି ଦେଖୁଛି l
ଜଣାପଡୁଥାଏ, ସେ ଯେମିତି ଏ ଆସନ୍ନ ବିପଦରେ ଆଦୌ ଆତଙ୍କିତ ନୁହେଁ l
କ୍ୟାପଟେନ ଦେଖିଲେ, ଲୋକଟି, ଦୁଇଟି ଗୋଲାକାର ଚକ୍ଷୁର ଚିତ୍ର ଉପରେ ମନୋନିବେଶ କରିଛି l
କ୍ୟାପଟେନ ତା କାନ୍ଧରେ ହାତ ପକାଇ କହିଲେ, ଆସନ୍ନ ବିପଦ ପାଈଁ ସମସ୍ତେ ଆତଙ୍କିତ। ଅଥଚ ତୁମେ ନିଶ୍ଚଳ ହୋଇ ବସିଛ। ଏ କ’ଣ କରୁଛ?
ଲୋକଟି କହିଲା, ମୁଁ ଜଗନ୍ନାଥଙ୍କ ଭଜନ କରୁଛି l ଆସନ୍ନ ବିପଦରୁ ମହାପ୍ରଭୁ ରକ୍ଷା କରିବେ ଏ ଦୃଢ଼ ବିଶ୍ୱାସ ମୋର ଅଛି l ପୁଣି କହିଲା ଜୀବନରେ ମୁଁ ବହୁବାର ପରୀକ୍ଷା କରି ଦେଖିଛି ତାଙ୍କ ଆଶ୍ରୟ ନେଲେ ବିପଦ ଛାଏଁ ଛାଏଁ ଟଳି ଯାଏ l
କ୍ୟାପଟେନ, କର୍ମଚାରୀଟିର ଦୃଢ଼ ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହେଲେ l ମନେ ମନେ ଭାବିଲେ, ହଁ ମୁଁ ଜଗନ୍ନାଥଙ୍କ ନାମ ଶୁଣିଛି। ହେଲେ ଥରେ ତାଙ୍କୁ ଦେଖିବାର ସୁଯୋଗ ଲାଭ କରି ନାହିଁ l ବିପଦ ବେଳେ ତାଙ୍କୁ ସ୍ମରଣ କଲେ ସେ ହୁଏତ ସହାୟ ହୋଇ ପାରନ୍ତି l
ଖ୍ରୀଷ୍ଟ ଧର୍ମରେ ବିଶ୍ୱାସୀ ବିଟୋଙ୍କ ବିଶ୍ୱାସ ଜଗନ୍ନାଥଙ୍କ ଉପରେ ଦୃଢ଼ ହେଉନଥାଏ l
କର୍ମଚାରୀଟିର ଅନୁରୋଧରେ କ୍ୟାପଟେନ ସେହି ଚକାନେତ୍ର ଦୁଇଟିକୁ ଚାହିଁ ବସିଲେ l ତାଙ୍କ ଦେଖା ଦେଖି ସବୁ କର୍ମଚାରୀ ମଧ୍ୟ ସେହି ଫଟୋ ଚିତ୍ରକୁ ଚାହିଁ ଜଗନ୍ନାଥଙ୍କ ଧ୍ୟାନ କରିବାକୁ ଲାଗିଲେ l
ସକଳେ ହୋଇ ଏକ ମୁଖ l
ଡାକିଲେ ନାରାୟଣ ରଖ ll
କ୍ୟାପଟେନ ଚକାନେତ୍ର ଦ୍ୱୟରେ ଚକ୍ଷୁ ମୁଦ୍ରିତକରି ଧ୍ୟାନ ଆବଦ୍ଧ କରି ବସିଥାନ୍ତି l ଏମିତି କିଛି ସମୟ କଟିଗଲା l
କ୍ୟାପଟେନ ଚକ୍ଷୁ ଖୋଲି ଦେଖନ୍ତି ତ ଜାହାଜ ଧୀରେ ଧୀରେ ଆଗକୁ ଗତି କରୁଛି l ଭୟଙ୍କର ଝଡ଼ କୁଆଡ଼େ ଉଭେଇ ଯାଇଛି l ଆଉ କିଛି ବିପଦ ନାହିଁ l
ଆନନ୍ଦ ଅଧୀର କ୍ୟାପଟେନ ଯାଇ କୁଣ୍ଢାଇ ପକାଇଲେ ଜଗନ୍ନାଥ ଭକ୍ତ ସେହି କର୍ମଚାରୀକୁ l ଗଦ ଗଦ କଣ୍ଠରେ ତାଙ୍କୁ ଜାବୁଡି ଧରି କହିଲେ, ତୁମରି ଯୋଗୁଁ ଆମେ ଏ ଭୟଙ୍କର ବିପଦରୁ ରକ୍ଷା ପାଇଲୁ l ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ମହାପ୍ରଭୁ ଝଡ଼ର ଗତି ବଦଳାଇଦେଲେ l ତେବେ କୁହ ସେ ଜଗନ୍ନାଥ କାହାଁନ୍ତି l କଅଣ ତାଙ୍କୁ ଥରେ ମୁଁ ଦର୍ଶନ କରି ପାରିବିନି l
ଏ ପ୍ରଶ୍ନଶୁଣି ସେ ଭକ୍ତ କର୍ମଚାରୀଟି କହିଲା, ମହାପ୍ରଭୁ ଜଗନ୍ନାଥ, ଭାରତ ପୂର୍ବ ଉପକୂଳରେ, ଶ୍ରୀକ୍ଷେତ୍ର ପୁରୀରେ ନୀଳାଚଳ ଧାମ ଶ୍ରୀମନ୍ଦିରରେ, ବିରାଜମାନ କରୁଛନ୍ତି l ସେ ବଡ଼ କରୁଣାମୟ l ତୁମ୍ଭେ ଚାହିଁଲେ ନିଶ୍ଚୟ ତାଙ୍କ ଦର୍ଶନ ଲାଭ କରି ପାରିବ l
ଏକଥା ଶୁଣି କ୍ୟାପଟେନ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଲେ ତୁମେ ବର୍ତ୍ତମାନ ଶ୍ରୀକ୍ଷେତ୍ର ଅଭିମୁଖେ ଜାହାଜ ଚଳାଅ l
ଏ ଘଣ୍ଟାକୁ ଆଉ ପଣ୍ଡିଚେରୀରେ ଦେବାର କୌଣସି ଆବଶ୍ୟକତା ନାହିଁ l ଘଣ୍ଟାକୁ ମୁଁ ପ୍ରତ୍ୟକ୍ଷ ଅନୁଭୂତିରେ ଆଣିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉପହାର ଦେବି l
ଜାହାଜ ଚାଲିଲା ପୁରୀ ଅଭିମୁଖେ l କ୍ୟାପଟେନ ବିଟୋ ଶ୍ରୀ ମନ୍ଦିରରେ ପହଞ୍ଚି ପତିତପାବନଙ୍କୁ ଦର୍ଶନ କଲେ l କିଛି ଉପହାର ସହିତ ଘଣ୍ଟାଟିକୁ ସମର୍ପଣ କଲେ ମହାପ୍ରଭୁଙ୍କୁl
ମହାପ୍ରଭୁଙ୍କ ମହିମା ପ୍ରଚାର କରୁଥିବା ସେହି ଘଣ୍ଟାଟି ଏବେ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ଥିବା ନିଳାଦ୍ରି ବିହାର ମ୍ୟୁଜିୟମ ପରିସରରେ ରଖାଯାଇଛି l
ଘଣ୍ଟାରେ ଫ୍ରେଞ୍ଚ ଅକ୍ଷରରେ ଲେଖା ଯାଇଛି,” CANTA BOET PSALLAMIN GEN TIBUS DE FRANCE MF PONDICHERRY 1746,NOMME PIWRRIE ANDRE JF PESSE 900, A PONDICHERRY 1746 IA LIBERALITE DE PEDRO MOUDEN COURT ” l
ଏହା ସେହି ୧୭୪୬ ମସିହାର ଘଟଣା l ଘଣ୍ଟା ପାଦଦେଶରେ ସିମେଣ୍ଟ ଫଳକରେ ଘଟଣାଟିର ସଂକ୍ଷିପ୍ତ ବିବରଣୀ ଲେଖା ହୋଇ ରହିଛି l
ସ୍ୱାଧୀନତା ପରେ, ଫ୍ରାନ୍ସ ସରକାର ଏହି ଘଣ୍ଟାକୁ ଫେରାଇ ଦେବା ପାଈଁ ଭାରତ ସରକାରଙ୍କ ଠାରେ ଦାବି ରଖିଥିଲେ l
ମାତ୍ର ଜଗନ୍ନାଥଙ୍କୁ ଏହା ଭକ୍ତର ଭକ୍ତି ନିବେଦନ ବୋଲି କହି ଏହା ଆଉ ଫେରାଇ ଦିଆ ଯାଇ ନଥିଲା l
ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଯାଉଥିବା ପ୍ରତ୍ୟେକ ଭକ୍ତଙ୍କୁ ନିବେଦନ ଏହି ଅପୂର୍ଵ ଘଣ୍ଟାକୁ ଥରେ ନିଶ୍ଚୟ ଦର୍ଶନ କରିବା ପାଈଁ l
ମହାପ୍ରଭୁଙ୍କ ଚକା ଆଖିକୁ ନେତ୍ରପଥରେ ରଖିଲେ ବିପଦ ଅବଲୀଳା କ୍ରମେ କଟିଯାଏ ଏହି ଘଣ୍ଟାଟି ତା’ର ନିଦର୍ଶନ l
ସେଥିପାଇଁ ନାରୀ କବି କଳ୍ପଲତା ଜେନା କହିଛନ୍ତି :-
ଜଗବନ୍ଧୁ ନାଥଙ୍କୁ ଯେ ମୁରୁଛି ନୁହଁଇ l
ଯେଣିକି ଚାହିଁଲେ ତାଙ୍କ ଶ୍ରୀମୁଖ ଦିଶଇ ll
ଧନ୍ୟ ତାଙ୍କ ଚକା ଆଖି,ମନ ରହିଯାଏ ଲାଖି,
ବାହୁ ଟେକିଛନ୍ତି ଦୁଃଖୀ ତାରିବା ପାଈଁ ll
ସଂଗୃହିତ
✿❁❣️ ଶ୍ରୀ ଜଗନ୍ନାଥ ଶରଣଂ ❣️❁✿