Defenation of bhakti

ପ୍ରାୟ ତିନି ଦଶନ୍ଧି ତଳର କଥା। ରାତି ଦଶଟା ବାଜିବାକୁ ଯାଉଥାଏ। ଶୋଇବାକୁ ଯିବା ପୂର୍ବରୁ ଦିଅଁ ଦର୍ଶନ କରିବାର ଅଭିଳାଷ ନେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ ମନ୍ଦିରର ମୁଖ୍ୟ ପ୍ରଶାସକ। ତ୍ରିମୂର୍ତ୍ତିଙ୍କ ସାମ୍ନାକୁ ଯିବା ପୂର୍ବରୁ ଦେଖିଲେ ସ୍କୁଲ ଛାତ୍ରୀ ଭଳି ଜଣା ପଡ଼ୁଥିବା ପାଞ୍ଚୋଟି ଝିଅ ତିନି ଦିଅଁଙ୍କ ଆଗରେ ଛିଡ଼ା ହୋଇ ଅତ୍ୟନ୍ତ ତନ୍ମୟ ଚିତ୍ତରେ କରୁଣ ମୁଦ୍ରାରେ ଆଖି ମୁଦି, ହାତ ଯୋଡ଼ି ପ୍ରାର୍ଥନା କରୁଛନ୍ତି । ଭଲ କରି ନିରେଖି ଦେଖିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ଭକ୍ତି ଭାବାବେଶରେ ନିଃଶବ୍ଦରେ ଆଖିରୁ ଲୁହ ଝରାଇ ଚାଲିଛନ୍ତି ।
ଏତେ କଅଁଳ ବୟସର ଛୋଟ ଝିଅମାନଙ୍କର ଏମିତି ଅଭିନବ ଭକ୍ତି ଭାବ ଦେଖି ସେ ଆଚମ୍ବିତ ହେଉଥିଲା ବେଳେ ହଠାତ୍ ଲକ୍ଷ କଲେ ଯେ ଆଖିରୁ ଲୁହ ପୋଛିବା ପାଇଁ ନିଜ ରୁମାଲ ବାହାର କରୁଥିବା ସେଇ ଝିଅଟି ହାତରୁ ରୁମାଲଟି ଖସି ପଡ଼ିଲା ଓ ରୁମାଲଟିକୁ ତଳୁ ଗୋଟାଇବା ପାଇଁ ସେ ତଳକୁ ନଇଁ ପଡ଼ି ଅଣ୍ଡାଳିବାକୁ ଲାଗିଲା । ଝିଅଟିର ଏମିତି କାର୍ଯ୍ୟ ଦେଖି ପ୍ରଶାସକ ଜାଣିଲେ ଯେ ଝିଅଟି ଦୃଷ୍ଟିହୀନ । ଦର୍ଶନ ସାରି ପରସ୍ପରର ହାତ ଧରାଧରି ହୋଇ ସେମାନଙ୍କୁ ଫେରିବାର ଦେଖି ସେ ଏ କଥା ବି ଜାଣିଲେ ଯେ କେବଳ ସେଇ ଝିଅଟି ନୁହେଁ, ତା ସହ ଥିବା ଅନ୍ୟ ଚାରିଏଁ ବି ସମାନ ଭାବେ ଦୃଷ୍ଟିହୀନ ।
ପ୍ରଶାସକ ମହୋଦୟ ଆଶ୍ଚର୍ଯ୍ୟ ହେଲେ । ସେ ନିଜ ଦର୍ଶନ କଥା ଭୁଲିଗଲେ ଓ ସେଇ ବାଳିକାମାନଙ୍କର ପଶ୍ଚାତ ଗମନ କଲେ । ମନ୍ଦିର ପରିସର ପରିକ୍ରମା କରୁଥିବା ସେଇ ପାଞ୍ଚକନ୍ୟାଙ୍କ ସହ ଥିବା ସେମାନଙ୍କ ଶିକ୍ଷୟତ୍ରୀଙ୍କୁ ପଚାରି ବୁଝିଲେ ଯେ ସେମାନେ ମଧ୍ୟପ୍ରଦେଶର ଜବଲପୁର ଅଂଚଳର ଏକ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ପ୍ରାୟ କୋଡ଼ିଏ ସରିକି ଛାତ୍ରୀଙ୍କୁ ନେଇ ସେମାନେ ଏକ ପାଠ୍ୟ ପର୍ଯ୍ୟଟନରେ ବୁଲି ଆସିଛନ୍ତି । ଅନ୍ୟ ଛାତ୍ରୀମାନେ ଧର୍ମଶାଳାରେ ବିଶ୍ରାମ ନେଉଥିବାବେଳେ ଏ ପାଞ୍ଚ ଜଣଙ୍କ ଶୟନ ପୂର୍ବରୁ ଦିଅଁ ଦର୍ଶନର ଆଗ୍ରହକୁ ସମ୍ମାନ ଜଣାଇ ସେ ସେମାନଙ୍କୁ ନେଇ ମନ୍ଦିର ଆସିଥିଲେ ।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବହୁ ଯାତ୍ରୀଙ୍କ ଭକ୍ତିଭାବର ବିଚିତ୍ର ଆଚରଣ ସମ୍ପର୍କରେ ସେ ଅଜ୍ଞାତ ନ ଥିଲେ ମଧ୍ୟ ତରୁଣ ବୟସର ଦୃଷ୍ଟିହୀନ ଛାତ୍ରୀଙ୍କ ଭକ୍ତିର ଏକାତ୍ମତା ତାଙ୍କ ମଧ୍ୟରେ ଏକ ମୁଗ୍ଧ ଅନୁଭବ ସୃଷ୍ଟି କରିଥିଲା । ଶିକ୍ଷୟିତ୍ରୀଙ୍କ ଅନୁମତି ନେଇ ସେଇ ଝିଅଟିକୁ ସେ ପଚାରିଲେ , ” ତୁମେ ତ ଜଗନ୍ନାଥଙ୍କୁ ଦେଖି ପାରୁ ନଥିଲ । କେବେ ବି ଆଗରୁ ଦେଖି ବି ନ ଥିବ ନିଶ୍ଚୟ । ତେବେ କାହିଁକି ଆସିଥିଲ ଏତେ ବାଟ, ଏତେ ଦୂରରୁ ? “
ପ୍ରଶ୍ନଟି ଅତି ଅନୁଚିତ ବା ଅବାଂଛିତ ମନେ ହେଉଥିଲେ ମଧ୍ୟ ତା ମଧ୍ୟରେ ଲୁଚି ରହିଥିଲା ସେଇ ଧର୍ମପରାୟଣ ପ୍ରଶାସକଙ୍କର ଏକ ରହସ୍ୟମୟ ଜିଜ୍ଞାସା ! ଅଥଚ ତାହାଠୁଁ ଅଧିକ ରହସ୍ୟମୟ ଥିଲା ସେଇ ଚଉଦ କି ପନ୍ଦର ବର୍ଷୀୟ ବାଳିକାଟିର ଉତ୍ତର। ଅତି ସହଜ ଭାବରେ ସେ କହିଲା, ” ଆପଣଙ୍କ ଭଳି ଆଖି ଥିବା ଲୋକମାନେ ଯେତେବେଳେ ଦେବତାଙ୍କୁ ଦର୍ଶନ କରନ୍ତି, ସେତେବେଳେ ପରମ ଭକ୍ତିରେ ଆପଣଙ୍କ ଦୁଇ ଖୋଲା ଆଖି ଆପେ ଆପେ ମୁଦି ହୋଇଯାଏ । କେଇ ମୁହୂର୍ତ୍ତ ପାଇଁ ଆପଣମାନେ ଆମ ଭଳି ଅନ୍ଧ ହୋଇଯାନ୍ତି । ଈଶ୍ୱର କେତେ ମହାନ, ଜୀବନର ପ୍ରତି ମୁହୂର୍ତ୍ତରେ ତାଙ୍କୁ ଅନୁଭବ କରିବାକୁ ସେ ଆମକୁ ସାରା ଜୀବନ ପାଇଁ ଅନ୍ଧ କରି ଦେଇଛନ୍ତି।”
ପ୍ରଶାସକଙ୍କ ପ୍ରଶ୍ନର ଉତ୍ତର ମିଳିଥିଲା କି ନାହିଁ କେଜାଣି, ସେ ତଟସ୍ଥ ହୋଇ ଯାଇଥିଲେ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ । ତାଙ୍କର ମନେ ପଡୁଥିଲା ସେଇ ଗୀତଟି–“ଅନ୍ଧ କରି ମୋତେ କରିଛୁ ରେ ଧନ୍ୟ………..”। ତାଙ୍କୁ ଲାଗୁଥିଲା, ଜଗନ୍ନାଥଙ୍କୁ ଅନୁଭବ କରିବା ପାଇଁ ଯେଉଁ ସୂକ୍ଷ୍ମ ଚେତନାଟି ଲୋଡ଼ା, ତାହା ଯେମିତି ଶିକ୍ଷିତର ଶିକ୍ଷା ଭିତରେ ନ ଥାଏ, ସେମିତି ବି ନ ଥାଏ ଚକ୍ଷୁଷ୍ମାନର ଚକ୍ଷୁର ଜ୍ୟୋତି ଭିତରେ !!

Leave a comment

Design a site like this with WordPress.com
Get started