
ଗୋବିନ୍ଦଙ୍କ ପ୍ରିୟ ଗୀତ ଗୋବିନ୍ଦ 🍁 :- ପ୍ରଭୁଙ୍କ ଦିବା ପହଡ ଶେଷ ହେଲା l ନୀତି ସମ୍ପାଦନ ପାଇଁ ସିଂହାସନ ନିକଟକୁ ଚାଲିଲେ ସେବକମାନେ l ଖୋଲିଦେଲେ ବସ୍ତ୍ର ଉତ୍ତରୀୟ ଓ ବେଶ ଲାଗି କଲେ l ହେଲେ ଏ କି ଆଶ୍ଚର୍ଯ୍ୟ ! ପ୍ରଭୁଙ୍କ ବସ୍ତ୍ର ଓ ଉତ୍ତରୀୟ ଚିରିଲା କିପରି ? ଉତ୍ତରୀୟରେ ଏତେ ବାଇଗଣ କଣ୍ଟା ଓ ପତ୍ର l ଏ ସବୁ ଲାଗିଲା କେମିତି ? ନାନା ଦ୍ଵନ୍ଦ ଓ ଶୋଚନା ଭିତରେ କିଂ କର୍ତ୍ତବ୍ୟବିମୁଢ଼ ହୋଇ ସେବକମାନେ ଜଣାଇଲେ ଗଜପତି ଛାମୁରେ l ବଡ଼ ଦେଉଳୁ ଦଉଡି ଆସିଲେ ଗଜପତି l ପ୍ରକୃତରେ ପ୍ରଭୁଙ୍କ ଅଙ୍ଗବସ୍ତ୍ରରେ ବାଇଗଣ ପତ୍ର ଓ କଣ୍ଟା ଲାଗିଛି l ଶ୍ରୀଜୀଉଙ୍କ ପାଦରେ ରତ୍ନସିଂହାସନ ତଳେ ଲୋଟିପଡ଼ି କାତର କଣ୍ଠରେ ପ୍ରାର୍ଥନା କଲେ ‘ହେ ଜଗତ ଠାକୁର ‘ ଆପଣଙ୍କର ଏ କି ଲୀଳା ! କେଉଁ ଭକ୍ତର ଭାବରେ ଟାଣି ହୋଇ ଅରଣ୍ୟ ଭ୍ରମଣରେ ଚାଲିଯାଇଥିଲେ ଭାବଗ୍ରାହୀ ଜଗନ୍ନାଥ l ଅଧୀନକୁ ଏ ସବୁ କୃପା କରି ଆଜ୍ଞା ହେଉ l ଶ୍ରୀମୁଖରୁ ଆଜ୍ଞା ହେଲା – ରାଜନ ! ବନମାଳୀପୁର ଗ୍ରାମର ଚଷାଘରର ଝିଅ ମାଳିନୀ l ମୋ’ଠାରେ ତା’ର ଆବଲ୍ୟ ଅଚଳ ଭକ୍ତି l ଆଜି ନିଜ ବାପା କରିଥିବା ବଗିଚାରେ ବାଇଗଣ ତୋଳୁ ତୋଳୁ ମୋର ପ୍ରିୟ ଗୀତଗୋବିନ୍ଦ ଅତି ସୁମଧୁର ସ୍ଵରରେ ଗାନ କରୁଥିଲା l ସେ ଗୀତ ମୋ କାନରେ ପଡ଼ିବା ମାତ୍ରେ ମନ ଚଞ୍ଚଳ ହେଲା l ମାଳିନୀର ଗୀତ ଗୋବିନ୍ଦ ଶୁଣିବା ପାଇଁ ତା ପଛେପଛେ ସେଇ ବାଇଗଣ କିଆରିରେ ବୁଲୁଥିଲି l ତେଣୁ ମୋ ବସ୍ତ୍ର କଣ୍ଟା ଲାଗି ଚିରି ଯାଇଛି l ମାଳିନୀ କନ୍ୟାର ଗୀତ ପ୍ରତି ତ୍ରିଲୋକପତି ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧା ଥିବା ଶୁଣି ସହର୍ଷେ ହସି ଉଠିଲେ ଗଜପତି l ମାଳିନୀକୁ ଆଣିବା ପାଇଁ ପଠାଇଲେ ଶିବିକା l ମାଳିନୀ ଆସିବା ପରେ ତାକୁ ଆଦେଶ ଦେଲେ ଗୀତଗୋବିନ୍ଦ ଗାନ କରିବାକୁ l ଜଗମୋହନରେ ମାଳିନୀର ଗୀତ ଗୋବିନ୍ଦ ଗାନ ଶୁଣି ପରମ ତୃପ୍ତି ଲଭିଲେ ନିଳାଦ୍ରୀବିହାରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ l ସେହି ଦିନ ଠାରୁ ପ୍ରତିଦିନ ଗୀତଗୋବିନ୍ଦ ଗାନ କରିବାକୁ ସନନ୍ଦ କରି ଦେଇଥିଲେ l ଏହି ମାଳିନୀର ଉତ୍ତରାଧିକାରୀ ମାନେ ଦେବଦାସୀ ସେବା କରୁଥିବା କିମ୍ବଦନ୍ତୀ ରହିଛି l ପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦର ରଚୟିତା ହେଉଛନ୍ତି ପରମ ବୈଷ୍ଣବ ଶ୍ରୀଜୟଦେବ l ଓଡ଼ିଶା ରାଜ୍ୟର ପ୍ରାଚୀ ନଦୀ ନିକଟସ୍ଥ କେନ୍ଦୁବିଲ୍ଵ ବା ଆଧୁନିକ କେନ୍ଦୁଲି ଗ୍ରାମରେ କବି ଜୟଦେବ ଜନ୍ମ ନେଇଥିଲେ l ସେ ପିଲାଦିନରୁ କୃଷ୍ଣଭକ୍ତ ଥିବାବେଳେ ରାଧାକୃଷ୍ଣ ଥିଲେ ତାଙ୍କର ଉପାସ୍ୟ l ସରସ୍ଵତୀଙ୍କ କୃପାରୁ ସଂସ୍କୃତ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଓ କବିତ୍ଵ ସ୍ଫୁରିତ ହୋଇଥିଲା l ସେ ଥିଲେ ବ୍ରାହ୍ମଣ l ତାଙ୍କର ପତ୍ନୀଙ୍କ ନାମ ମଧ୍ୟ ପଦ୍ମାବତୀ l ଏକଦା ଦକ୍ଷିଣ ଦେଶରେ ଜଣେ ଅପତ୍ୟହୀନ ବ୍ରାହ୍ମଣ ବାସ କରୁଥିଲେ l ଉକ୍ତ ବ୍ରାହଫମଣ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସନ୍ତାନଟିଏ କାମନା କରିବା ସହ ପୁତ୍ର ବା କନ୍ୟା ଯାହା ଜନ୍ମ ନେଉ, ଶ୍ରୀଜୀଉଙ୍କ ଚରଣରେ ସମର୍ପଣ କରିବାକୁ ଶପଥ କରିଥିଲେ l କିଛିଦିନ ପରେ ତାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ନେଲା l ଯୈାବନ ପ୍ରାପ୍ତ ହେବା ପରେ ସେହି କନ୍ୟା ପଦ୍ମାବତୀଙ୍କୁ ଧରି ବଡ଼ ଦେଉଳକୁ ଆସି ମହାପ୍ରଭୁଙ୍କୁ ଅର୍ପଣ କଲେ l ସ୍ଵପ୍ନରେ ଜଗନ୍ନାଥ ଆଦେଶ ଦେଲେ ଯେ ଆମ୍ଭେ ତୋ କନ୍ୟାକୁ ଗ୍ରହଣ କଲୁ l କିନ୍ତୁ ମୋର ଜଣେ ପ୍ରିୟଭକ୍ତ ଜୟଦେବ କେନ୍ଦୁଲି ଗ୍ରାମରେ ଅବସ୍ଥାନ କରୁଛନ୍ତି l ତାଙ୍କୁ ଏହି କନ୍ୟା ରତ୍ନ ବିବାହ ଦିଅ l ମହାପ୍ରଭୁଙ୍କ ଆଦେଶ ପାଇ ବ୍ରାହ୍ମଣ ଜୟଦେବଙ୍କ ନିକଟକୁ ଯାଇ କନ୍ୟାଦାନ ପାଇଁ ପ୍ରଭୁଙ୍କ ଆଦେଶ ଥିବା ଜଣାଇଲେ l ଏହାପରେ ପଦ୍ମାବତୀଙ୍କ ସହ ଜୟଦେବଙ୍କ ପରିଣୟ ହୋଇଥିଲା l ଦିନେ କପଟରେ ସ୍ଵୟଂ ମାଧବ ଜୟଦେବ ରୂପେ ଆସି ଗୀତଗୋବିନ୍ଦର ଅର୍ଦ୍ଧଲିଖିତ ପଂକ୍ତିଟିକୁ ପୂରଣ କରିଥିଲେ ବୋଲି କୁହାଯାଏ l ଏହି ପଂକ୍ତି ହେଉଛି ‘ *ଦେହି ପଦ ପଲ୍ଲବ ମୁଦାରଂ* ‘ ଏଥିରେ ‘ *ସ୍ମର ଗରଳ ଖଣ୍ଡନଂ ମମ ଶୀରସି ମଣ୍ଡନଂ* ‘ ବୋଲି ଲେଖି ଜୟଦେବ ସ୍ନାନ ପାଇଁ ଯାଇଥିବା ବେଳେ ଶ୍ରୀହରି ନିଜେ ଆସି ‘ *ଦେହି ପଦ ପଲ୍ଲବ ମୁଦାରଂ* ’ ପାଦଟି ପୂରଣ କରିଥିଲେ l ବାସ୍ତବରେ ଗୀତଗୋବିନ୍ଦର ପଂକ୍ତିଗୁଡ଼ିକ ଅତ୍ୟନ୍ତ ସୁଲଳିତ l ଏହି ମଧୁର କୋମଳ କାନ୍ତ ପଦାବଳୀରେ ଶ୍ରୀରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମରସର ପରିବେଷଣ କରାଯାଇଛି l ଗୀତ ଗୋବିନ୍ଦ ଗାନର ମହିମା ଏଏପରି ଯେ ଜଣେ ଯବନ ଓ କୁଷ୍ଠ ରୋଗୀ ମଧ୍ୟ ଗୀତ ଗୋବିନ୍ଦ ଗାଇ ପ୍ରଭୁଙ୍କ ଦର୍ଶନ ପାଇଥିଲେ l ଏହି ଗୀତ ଗୋବିନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏତେ ପ୍ରିୟ ଯେ ମହାପ୍ରଭୁ ପ୍ରତିଦିନ ଶୋଇବା ପୂର୍ବରୁ ଗୀତଗୋବିନ୍ଦ ଶୁଣିବା ସହ ଗୀତଗୋବିନ୍ଦ ଲେଖା ଥିବା ଖଣ୍ଡୁଆ ବସ୍ତ୍ର ଶରୀରରେ ଧାରଣ କରନ୍ତି l ଏପରି ପ୍ରେମରସ ପ୍ରାବଲ୍ୟ ଭକ୍ତିସାହିତ୍ୟ ସଂସ୍କୃତ ଭାଷାରେ ବିରଳ l ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ପ୍ରଭୁଙ୍କ ପ୍ରିୟ ଗୀତଗୋବିନ୍ଦ ଗାନ କରନ୍ତି l ଏହା ଅନ୍ତର୍ମନକୁ ଶାନ୍ତି ପ୍ରଦାନ କରିଥାଏ l