ଶ୍ରୀଶୁକଉବାଚ:-
ଶିଶୁପାଳକୁ ବିଭା ଶୁଣି। ଚକିତେ ଭାଳଇ ରୁକ୍ମିଣୀ।।
ବିକଳଚିତ୍ତେ ବିଚାରିଲା। ବୃଦ୍ଧ ବ୍ରାହ୍ମଣ ଅଣାଇଲା।।
ସୁହୃଦ ବାକ୍ୟ ତାଙ୍କୁ କହି। ଚରଣେ ବେନି କର ଦେଇ।।
ବୋଲଇ ଶୁଣ ବିପ୍ରମଣି। ଦ୍ୱାରକା ଯାଅ ଏହି କ୍ଷଣି।।
ଯେବେ ଆସିବେ ଚକ୍ରଧର। ତେବେ ସେ ଜୀବନ ମୋହର।।
ଅଧିକ କହିବଇଁ କେତେ। କୃଷ୍ଣ ଜାଣନ୍ତି ଏହା ଚିତ୍ତେ।।
କନ୍ୟା ବଚନେ ବିପ୍ର ଗଲା। ଦ୍ୱାରକା ଭୁବନେ ମିଳିଲା।।
ଦ୍ୱାରେ ଯେ ଦ୍ୱାରପାଳ ଥିଲେ। କୃଷ୍ଣଙ୍କୁ ନେଇ ଭେଟାଇଲେ।।
ସୁବର୍ଣ୍ଣ ସିଂହାସନେ ହରି। ଯାଦବେ ଅଛନ୍ତି ଆବୋରି।।
ଖଟନ୍ତି ଦଶଦିଗପାଳେ। ବିପ୍ର ଦେଖିଲେ ଚର୍ମ ଡୋଳେ।।
ଶ୍ରୀକୃଷ୍ଣଙ୍କନିକଟକୁରୁକ୍ମିଣୀଙ୍କ_ସନ୍ଦେଶ :-
ରୁକ୍ମିଣୀ_ଉବାଚ 🌹
ହେ କୃଷ୍ଣ ଭୁବନ ସୁନ୍ଦର। ଶୁଣିଲି ଗୁଣ କର୍ମ ତୋର।।
ତୋହର ଗୁଣ କର୍ମ ଯଶ। ଯାହାର ଶ୍ରବଣେ ପ୍ରବେଶ।।
ହରେ ଅଶେଷ ଜନ୍ମ ପାପ। ଅଧ୍ୟାତ୍ମ ଆଦି ତିନି ତାପ।।
ଦୃଷ୍ଟି ବହନ୍ତି ଯେତେ ପ୍ରାଣୀ। ତୋହର ରୂପ ସେ ପ୍ରମାଣି।।
ଅଖିଳ ଅର୍ଥଲାଭ ବଳେ। ଲଭନ୍ତି ରୂପ ଦେଖି ଡୋଳେ।।
ସେ ରୂପ କର୍ଣ୍ଣପଥେ ଶୁଣି। ମୋହର ଚିତ୍ତ ଚକ୍ରପାଣି।।
ଲାଜ ଉପେକ୍ଷି ତୋ ଶରଣେ। ପଶିଲା ଅଭୟ ଚରଣେ।।
କେଉଁ ଯୁବତୀ ଦେହ ବହି। ପିତା ଜନନୀ କୋଳେ ଥାଇ।।
ବିବାହ କାଳେ କନ୍ୟା ହୋଇ। ଉତ୍ତମକୁଳେ ଜନ୍ମ ପାଇ ।।
ଶୀଳ ସ୍ୱରୂପ ବିଦ୍ୟାବଳ। ଦ୍ରବିଣ ତେଜେ ଆତ୍ମତୁଲ୍ୟ।।
ତୋହର ପ୍ରାୟ ଥାଉଁ ପତି। ସୁଧୀରା କେଉଁ କୁଳବତୀ।।
ହେ ନରସିଂହ ପୂର୍ଣ୍ଣକାମ। ଜନଲୋଚନ ଅଭିରାମ।।
ଶ୍ରବଣେ ଶୁଣି ତୋର ଭାବ। ସେ କିପାଁ ଆନକୁ ବରିବ।।
ଏବେ ବରିଲି ତୋତେ ମୁହିଁ। ମନ ଜୀବନ ତନୁ ଦେଇ।।
ତୋହର ଅର୍ଥେ ଏ ଶରୀର। ବିଚାରି ମୋତେ ତ୍ରାହି କର।।
ଭୋ ନାଥ ବୀରଙ୍କର ବୀର। ମୁଁ ତୋ ଆମିଷ ଉପହାର।।
ନିକଟେ ଶିଶୁପାଳ ଆସି। ନ ବସୁ ତୋର ବଳି ଗ୍ରାସି।।
ସିଂହର ବଳି ହେଳେ ଦେଖି। ଶୃଗାଳ ଯେହ୍ନେ ଉପଲକ୍ଷି।।
ମୁଁ ଯେବେ ପୂର୍ବଜନ୍ମଗତେ। ତପ ଆରାଧି ନାନାମତେ।।
ତଡ଼ାଗ ଯଜ୍ଞ ଇଷ୍ଟ ଦାନ। ନିୟମ ତୀର୍ଥ ବ୍ରତ ଧର୍ମ।।
ଦେବତା ବିପ୍ର ଗୁରୁ ପୂଜି। ନିରତେ ବିଷ୍ଣୁପାଦେ ଭଜି।।
ଏ ଯେବେ ପ୍ରମାଣ ମୋହର। ବେଗେ ଆସିବେ ଚକ୍ରଧର।।
ମୋହର ହସ୍ତ ଆଗ ଧରୁ। ଦଇବ ଏହି ବର କରୁ।।
ଦମଘୋଷର ସୁତ ଆଦି। ଯେତେ ଅଛନ୍ତି ଅପରାଧୀ।।
ଏମାନେ ନ ପାଇବେ ମୋତେ। ପ୍ରମାଣ ଯେବେ ବେଦମତେ।।
ରାତ୍ର ପାହିଲେ ଅଧିବାସ। ହୋଇବ ମଙ୍ଗଳ ଦିବସ।।
ତୁ ନାଥ ସାଜି ନନ୍ଦିଘୋଷେ। ଘେନାଇ ଯଦୁବଳ ପାଶେ।।
ମଙ୍ଗଳ କାଳେ ଗୋପ୍ୟ ହୋଇ। ଆସିବୁ ନ ଦେଖିବେ କେହି।।
ଗୁପତେ ଗ୍ରାମ ମଧ୍ୟେ ଥାଇ। ମୋର ଗମନେ ବାଟ ଚାହିଁ।।
ସଂଗ୍ରାମେ ରାଜା ଶିଶୁପାଳ। ମୋର ପିତାର ଯେତେ ବଳ।।
ଏହାଙ୍କ ଗର୍ବ ନାଶ କରି। ତୁ ମୋତେ ବଳେ ନିଅ ହରି।।
ରାକ୍ଷସମତେ ବିଭାକର। କିଣିଲା ଦାସୀ ମୁଁ ତୋହର।।
ତୁ ନାଥ ଭାଳୁ ଯେବେ ଚିତ୍ତେ। ମୁଁ ତୋତେ ଆଣିବି କେମନ୍ତେ।।
ରାଜାର ଅନ୍ତଃପୁରେ ଥାଉ। ତୋତେ ପାଇବି ମୁହିଁ କାହୁଁ।।
ତହିଁକି କହିବି ଉପାୟ। ଶୁଣିମା ପ୍ରଭୁ ଦେବରାୟ।।
ଆମ୍ଭର ଅଛି କୁଳାଚାର। କନ୍ୟାକୁ କରନ୍ତି ବାହାର।।
ଭବାନୀ ପୂଜିବା ନିମନ୍ତେ। ଅମ୍ବିକାଗୃହ ଗ୍ରାମ ଅନ୍ତେ।।
ଯାତ୍ରା ଉତ୍ସବେ ମୁହିଁ ଯିବି। ଭବାନୀ ଚରଣେ ପୂଜିବି।।
ପଥେ ଆସିବା ବେଳେ ମୋତେ। ରାଜାଏ ଦେଖିବେ ସମସ୍ତେ।।
ଥିବି ମୁଁ ସ୍ତୀରିଙ୍କର ମେଳେ। ସେଠାରୁ ନିଅ ମୋତେ ବଳେ।।
ଯାହାର ପାଦପଦ୍ମ ଧୂଳି। ମହତ ଜନ ଶିରେ ବୋଳି।।
ନୀଳଲୋହିତ କରେ ଆଶ। ଏଣେ ହୋଇବ ତମ ନାଶ।।
ସେ ପାଦ ପ୍ରସାଦ ମୁଁ ଯେବେ। ଲଭି ନ ପାରିବି ପ୍ରସ୍ତାବେ।।
ବ୍ରତେ ଶୁଖାଇ ପଞ୍ଚପ୍ରାଣ। ନିଶ୍ଚେ ଛାଡ଼ିବି ନାରାୟଣ।।
ଏମନ୍ତେ ଶତଜନ୍ମ ଯାଏ। ଜୀବ ଛାଡ଼ିବି ତୋର ପାଏ।।
ସତ୍ୟ ବଚନ ଏ ମୋହର। ତୁ କି ନ ଜାଣୁ ମାୟାଧର।।
