ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି

ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି

ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃ
ରୁକ୍ମିଣୀପତି ଦେବେଶ ଶେଷଛତ୍ର ସୁଶୋଭିତଃ
ଆଞ୍ଜନେୟ ପ୍ରିୟଃ ଶାନ୍ତଃ ରାମରୂପୀ ସୁବନ୍ଦିତଃ
କୁର୍ଵନ୍ତୁ ମଙ୍ଗଳଂ କ୍ଷେତ୍ରେ ଭକ୍ତାନାଂ ପ୍ରିୟବାଦିନାଂ

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ। ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ଶ୍ରୀ ମଦନମୋହନ ଙ୍କୁ ଯୋଦ୍ଧା ବେଶ କରାଯାଇଥାଏ।

ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକ ମାନେ ଶ୍ରୀଦେବୀ ଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କି ରେ ଅଧିଷ୍ଠିତ କରାନ୍ତି। ଏହାପରେ ବିମାନବଡୁ ମାନେ ପାଲିଙ୍କି କୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି। ମହାଲକ୍ଷ୍ମୀ ଙ୍କ ଜଗମୋହନ ରେ ପଡିଥିବା ଖଟ ଉପରେ ଶ୍ରୀଦେବୀ ଙ୍କୁ ପଞ୍ଚାମୃତ ରେ ମହାସ୍ନାନ ହୋଇ ମାଜଣା ଓ ବନକ ଲାଗି ,ପୁଷ୍ପ ଓ ଅଳଙ୍କାର ମାନ ଲାଗି ହୋଇ ନବ ବଧୂ ବେଶ ହୋଇଥାନ୍ତି। ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥାନ୍ତି। ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ ) ଚିଟାଉ ନେଇ ଜୟବିଜୟ ଦ୍ଵାର ନିକଟକୁ ଯାଆନ୍ତି।

ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞା ମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି। ସେଠାରେ ପୁରାଣପଣ୍ଡା , ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ। ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖା ଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରଥାନ୍ତି। ଏହିସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି। ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳା ଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ବିମଳା ଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀ ମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ହରଣ କରିଥାନ୍ତି। ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ। ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ୱତୀଙ୍କ ମନ୍ଦିର ସମ୍ମୁଖରେ ଶିଶୁପାଳ ଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି। (ଜଣେ ସେବକ ଶିଶୁପାଳ ବେଶ ରେ ଖଣ୍ଡା ଧରି ଥାନ୍ତି ଓ ମହାପ୍ରଭୁ ଙ୍କ ପ୍ରତିନିଧି ଭାବେ ଜଣେ ଖୁଣ୍ଟିଆ ସେବକ ଭୁବନେଶ୍ୱରୀ ବେତ ଧରି ଶିଶୁପାଳ ସହ ଯୁଦ୍ଧ କରି ମହାପ୍ରଭୁଙ୍କ ରଥରେ ବାନ୍ଧିଦେଇଥାନ୍ତି)। ତତ୍ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପ ଠାରେ ବିଜେ କରାଯାଏ l ତତ୍ପରେ ରତ୍ନସିଂହାସନ ରେ ଶ୍ରୀଜୀଉ ଙ୍କର ଚନ୍ଦନ ଲାଗି କରାଯାଇଥାଏ।

ଏହାପରେ ରତ୍ନସିଂହାସନ ତଳେ ପାଣି ପଡ଼ି ଧୋ ପଖାଳ ହୋଇ ଯାତ ଭୋଗ ଉଠିବା ପରେ ଦୋଳଗୋବିନ୍ଦ ରତ୍ନସିଂହାସନ କୁ ବିଜେ କରିଥାନ୍ତି l ଭୋଗ ସାରି ଦୋଳଗୋବିନ୍ଦ ଜଳକ୍ରୀଡ଼ା ମଣ୍ଡପ କୁ ବିଜେ କରିଥାନ୍ତି ସେଠାରେ ନୀତି ଶେଷ ହେବା ପରେ ମଧ୍ୟାହ୍ନ ଧୂପ , ସନ୍ଧ୍ୟାଆଳତି ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି , ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପ ରେ ବିବାହ ନୀତି ଆରମ୍ଭ ହୋଇଥାଏ। ପୂଜାପଣ୍ଡା, ପତିମହାପାତ୍ର ,ମୁଦିରସ୍ତ ମହାଜନ ସେବକମାନଙ୍କ ଦ୍ୱାରା ସମ୍ପାଦିତ ଏହି ବିବାହ ନୀତି କରାଯାଇଥାଏ l ଭିତରଚ୍ଛ ମହାପାତ୍ର କନ୍ୟା ପିତା ଭାବେ କନ୍ୟାଦାନ କରିଥାନ୍ତି l ବିବାହ ନୀତି ସମ୍ପନ୍ନ ହେଲା ପରେ ମନ୍ଦିର ରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ। ବଡ଼ସିଂହାର ଭୋଗ ସମୟରେ ବରକନ୍ୟା ରତ୍ନ ସିଂହାସନ କୁ ବିଜେ କରନ୍ତି। ପୁଷ୍ପାଳକ ସେବକ ବରକନ୍ୟାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି କରାନ୍ତି। ଭୋଗ ସରିବା ପରେ ପଲଙ୍କ ବିଜେ ହୋଇ ରାତ୍ର ପହଡ ନୀତି ହୋଇଥାଏ। ରୁକ୍ମିଣୀ ହରଣ ଏକାଦଶୀ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୟନ ଠାକୁରଙ୍କ ବିଜେ କରାଯାଏ ନାହିଁ। ଏହି ପରି ଭାବେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଓ ବିବାହତ୍ସଵ ପାଳିତ ହୋଇଥାଏ।

Leave a comment

Design a site like this with WordPress.com
Get started