#ଚମ୍ପକ_ଦ୍ୱାଦଶୀ ରେ ଶ୍ରୀ ମନ୍ଦିରରେ ଦଇତାପତି ପ୍ରବେଶ ନୀତି ❤️
ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ :
ଆଦ୍ୟ ଜଗନ୍ନାଥ ମନ୍ଦିରର ନିର୍ମାତା ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିଜର ବଂଶଧର କାହାକୁ ରଖି ନଥିଲେ । ସେଥିପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ କାର୍ତ୍ତିକ ମାସ ଦେବ ଦୀପାବଳୀ ଦିନ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସହ ଅନ୍ୟ ଦୁଇଟି ବ୍ୟକ୍ତିତ୍ଵ ବିଶ୍ଵାବସୁ ଶବର ରାଜା ଓ ବିଦ୍ୟାପତି ବ୍ରାହ୍ମଣ ମନ୍ତ୍ରୀଙ୍କର ଆତ୍ମୀୟ ସ୍ବଜନମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ବଂଶଧର ରୂପେ ତୀର୍ଥରାଜ ଶ୍ରୀକ୍ଷେତ୍ରରେ ବାସ କରି ଆସୁଛନ୍ତି । ପତି ମହାପାତ୍ର ସେବକମାନେ ଏହି ବିଦ୍ୟାପତି ବ୍ରାହ୍ମଣ ମନ୍ତ୍ରୀଙ୍କର ବଂଶଧର ଅଟନ୍ତି । ସ୍ବର୍ଗତଃ ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସ୍ଵତ୍ତ୍ଵଲିପି ୧୯୫୫ରେ ପତି ମହାପାତ୍ରଙ୍କ ସେବା ବିଷୟରେ ଏପରି ଭାବରେ ଲେଖାଯାଇଛି ।
ପତି ମହାପାତ୍ରଙ୍କ ସେବାର ବିବରଣୀ :
ଦୈନିକ ନୃସିଂହଙ୍କର ସେବା କରନ୍ତି ଓ ବଡ଼ ସିଂହାର ପହୁଡ଼ ଆଳତୀ କରନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ତମାମ ସବୁ ପର୍ବପର୍ବାଣି , ବନ୍ଦାପନା , ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣରେ କାମ କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅଁ ଫେରିବା ବେଳେ , ରଥକୁ ବିଜେ , ରଥରୁ ଗୁଣ୍ଡିଚା ଘର ବିଜେ କରନ୍ତି । ଗୁଣ୍ଡିଚା ଘରୁ ରଥକୁ , ନୀଳାଦ୍ରି ବିଜେବେଳେ ସେ ତିନି ବାଡ଼ର ବନ୍ଦାପନା , କର୍ପୂର ଆଳତୀ , କର୍ପୂର ଲାଗି , ଘସା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମ ତିଥି ହୋମ , ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି । ଅନବସର ସମୟରେ ଦକ୍ଷିଣଦ୍ଵାର ଓ ତାଟିଦ୍ଵାର ଫିଟାନ୍ତି । ଅଣସର ଘର ଭିତରେ ଭୋଗ କରନ୍ତି । ଦଇତାଙ୍କ ସହ ପ୍ରସାଦ ଲାଗି , ପଣା ଲାଗି , ଖଡ଼ି ଲାଗି , ଖଳି ଲାଗି , ଫୁଲୁରି ଲାଗି କାମ କରନ୍ତି । ସୁଦର୍ଶନ ଚକ୍ରର ବିଜେ ବେଳେ ସମସ୍ତ କାମ କରନ୍ତି । ଦଇତାଙ୍କ ସହ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି । ମାତ୍ର ଭିତରେ ଭୋଗ ଓ ସଂସ୍କାର ଏ ସେବକ କରନ୍ତି । ନବକଳେବର ତିନିବାଡ଼ର ଆଜ୍ଞାମାଳ ବାହାର କରି ତିନିବାଡ଼ରେ ଦଇତାଙ୍କୁ ଦେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ବେଷଣରେ ଯାଆନ୍ତି । ଭିତରଛୁଙ୍କଠାରୁ ଅଣସର ପିଣ୍ଡିରେ ଶାଢ଼ୀ ପାଇଁ ବାହାରନ୍ତି । ବନଯାଗରେ ବିଦ୍ୟାପତି ବରଣ ହୁଅନ୍ତି । ବନଯାଗ ପରେ ସୁନା କୁରାଢ଼ି ନେଇ ପ୍ରଥମେ ନିର୍ଦ୍ଦିଷ୍ଟ ଗଛରେ ଲଗାନ୍ତି । ତା’ପରେ ଅନ୍ୟମାନେ କାଟନ୍ତି । ଦାରୁ ଆଣିବା ପରେ ତାକୁ ଭୋଗ କରନ୍ତି । ଦକ୍ଷିଣ ଘରୁ ନୃସିଂହ ନେଇ ଦାରୁ ଘରେ ନୃସିଂହ ମଣ୍ଡପରେ ବିଜେ କରାଇ ସେ ରହିବା ଦିନରୁ ତାକୁ ପୂଜା କରନ୍ତି । ଏ ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା କରନ୍ତି । ଏ ସେବାର ବିବରଣୀ ନିୟମାନୁଯାୟୀ ଅପ୍ରକାଶିତ । ମହାଜନ ହିସାବରେ ବିଛା ମାସରେ ଦକ୍ଷିଣଘର ସେବା ଓ ମହାଜନ ସେବା କରନ୍ତି । ଏ ବିଦ୍ୟାପତି ବଂଶଧର ସେବକ ବୋଲି ପ୍ରବାଦ ଅଛି । ଅଣସରଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାଙ୍କ ସହିତ ଅଂଶ ନିଅନ୍ତି । ପିଣ୍ଡିକାରେ ମୁଣ୍ଡପିଛା ରଜାଘର ଆମଦାନୀରୁ ଅଧେ ଓ ରାସ୍ତାରୁ ଅର୍ଧେକ ପାଆନ୍ତି ।
ଯୋଗ୍ୟତା :
ବ୍ରତ ନହୋଇ ଦଇତା ପୁଅଙ୍କ ସଂଗେ ଦଇତା କାମ କରିପାରିବେ । ମାତ୍ର ବନ୍ଦାପନା ସର୍ବାଙ୍ଗ ଇତ୍ୟାଦିରେ ବ୍ରତପରେ ମନ୍ତ୍ର ନିପୁଣ ହେଲେ କରିପାରିବେ । ବ୍ରାହ୍ମଣ ସେବକ ପୁରାତନ ପତି ମହାପାତ୍ର ନିର୍ବଂଶ ହେବାରୁ ଶାସାନୁଯାୟୀ ପୂଜାପଣ୍ଡା ବଂଶରୁ ଏହି ସେବକ ପତି ମହାପାତ୍ର ନିଯୁକ୍ତ ହେଲେ ପ୍ରଥମ ସେବାପାଇଁ ଶାଢ଼ୀ ବନ୍ଧା ଆବଶ୍ୟକ ନାହିଁ । ଖଡ଼ି ପ୍ରସାଦ ଓ ରାଜପ୍ରସାଦ ବିଜେ କରନ୍ତି । ନହରଠାରୁ ଶାଢ଼ୀ ପାଆନ୍ତି , କର୍ମାଙ୍ଗୀ ଅନୁସାରେ ଠାକୁରଙ୍କ ସମସ୍ତ ସେବା ସେମାନେ କରିପାରିବେ । ପୂଜା ବି କରିପାରିବେ । ସେବା ବଂଶାନୁକ୍ରମିକ ଅଟେ । ଏ କାର୍ଯ୍ୟରେ ତ୍ରୁଟି କଲେ ଖେଇ ବନ୍ଦ ରହିବ । ପୂର୍ବ ପ୍ରଥାମତେ ପୂଜା ପଣ୍ଡା ବଂଶରୁ ଅନ୍ୟ ସେବକ ନିଯୁକ୍ତ ହୋଇପାରିବେ । ସମସ୍ତ ଦଇତା କାମ ନକଲେ ପତି ମହାପାତ୍ର କରିପାରିବେ । ବର୍ତ୍ତମାନ ପତି ମହାପାତ୍ର ପୂଜାପଣ୍ଡା ବଂଶରୁ କରାଯାଉଥିବାରୁ ପୂଜାପଣ୍ଡା ମଧ୍ୟ ସେପରି ଆବଶ୍ୟକ ପଡ଼ିଲେ ଏହାଙ୍କ କାମରେ ନିଯୁକ୍ତ ହୋଇପାରିବେ ।
ପୁରୁଷୋତ୍ତମ କର୍ମାଙ୍ଗୀରେ ପତି ମହାପାତ୍ରଙ୍କ ସେବା ବିଷୟରେ ନିମ୍ନମତେ ଲେଖାଯାଇଛି :
ଏ ମହାସାମନ୍ତ ବିଦ୍ୟାପତି ପୁରୋହିତ ବଉଁଶ । ଏ କ୍ଷେତ୍ର ମଣ୍ଡପେ ବାସ କଲା । ଏ ନିଯୋଗ ସାଆନ୍ତ ଅଟେ । ଖେଇ ଭାଗ ଦୁଇଭାଗ ଅଧିକା ହେବ । ଏ ସକଳ କାରିଯକୁ ଭାଜନ । ଏ ବିଜେ କାଳ ମଙ୍ଗଳାରୋପଣ କାଳେ ଅଭିନ୍ତ୍ରିକ । ଏ ଇନ୍ଦ୍ରଦ୍ୟୁମ୍ନର ପୁରୋହିତ ମୁଦିରଥ ତୁଲେ ପ୍ରଭୁଙ୍କୁ ବନ୍ଦାଣ କରିବ । ଏମାନେ ରାଜପ୍ରସାଦ ବିଜେ କାଳେ ମହାଶ୍ରମକୁ ସିଂହଦ୍ୱାରେ ତଳୁଛପତି ଦଇତାପଣେ ଲଗା ଶାଢ଼ୀ ପାଇବେ । ଦାରୁ କାଟିବାକୁ ମଂଗଳ ବିଜେ କାଳେ ଶିରୋପା ଘେନିବେ । ଏ ଅଣସର କାଳେ ଲାଗି ଚକଟା ଭୋଗ ଆଦି କରିବେ । କରାଳ ଲାଗି ବଢ଼ାଇବେ । ଖଳି ଲାଗି କାଳେ ରହି ରାଜପ୍ରସାଦ ଆଣି ମହାଶ୍ରମ ତୁଲେ ସଂପାଦିବେ । ପରମ ଗହନ କାର୍ଯ୍ୟ କରିବେ । ବ୍ରହ୍ମ ଆଣିବାକୁ ଯଥା ସୁନିଆଁ ନେବେ । ବ୍ରହ୍ମ ତୁଳସୀ ଦେବେ । ରଥପର ଯାତ୍ରା କାଳେ ସକଳ ବିଜେ କାଳେ ଭେଟିବେ । ଘସା ନୈବେଦ୍ୟ କରିବେ । ଏ ନିତ୍ୟ ପହୁଡ଼ କାଳେ ପରମେଶ୍ବରଙ୍କର ବାଡ଼େ ଆଳତୀ କରିବେ ।
ପତି ମହାପାତ୍ରଙ୍କ ସେବା :
ପତି ମହାପାତ୍ର ନୃସିଂହଙ୍କୁ ସେବା କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ସାରା ପର୍ବପର୍ବାଣି ବନ୍ଦାପନା , ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣରେ ମଝିବାଡ଼ରେ କାମ କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ନବକଳେବର ବେଳେ ତିନିବାଡ଼ରେ ଆଜ୍ଞାମାଳ ନେଇ ଦାରୁ ଅନ୍ବେଷଣରେ ଯାଆନ୍ତି । ବନଯାଗରେ ବିଦ୍ୟାପତି ରୂପେ ବରଣ ହୁଅନ୍ତି । ନବକଳେବର ବେଳେ ପ୍ରଥମେ କୁରାଢ଼ି ନେଇ ଦାରୁରେ ଲଗାନ୍ତି । ପରେ ଅନ୍ୟମାନେ କାଟନ୍ତି । ସୁଦର୍ଶନଙ୍କର ସମସ୍ତ କାମ କରନ୍ତି ।
ଶ୍ରୀ ଚକ୍ରଧର ମହାପାତ୍ରଙ୍କ ଲିଖିତ ଓଡ଼ିଶା ଇତିହାସର ଏକ ଅଜ୍ଞାତ ଅଧ୍ୟାୟରେ ଛତିଶା ନିଯୋଗ ବିଷୟରେ ଯେଉଁ ବିବରଣୀ ଦେଇଛନ୍ତି , ସେଥିରେ ପତି ମହାପାତ୍ର ସେବା ବିଷୟରେ ନିମ୍ନଲିଖିତମତେ ବର୍ଣ୍ଣନା କରାଯାଉଛି ।
ପତି ମହାପାତ୍ର ବିଦ୍ୟାପତି ଙ୍କ ବ୍ରାହ୍ମଣିଆଡ଼ ବଂଶଧର , ରାଜାଜ୍ଞାରେ ନିଯୁକ୍ତି ହୋଇ କାମ କରନ୍ତି । ରଥ ଚଳନ ଆଦି ଯାବତୀୟ ବାହାର ପୂଜାର ମୁଖ୍ୟ ସେବକ । ନିରଗ୍ନିକ ହୋଇଯାଇଛନ୍ତି କାରଣ ବିଦ୍ୟାପତି ଶବର ଜେମାଙ୍କ ପରିଚୟ ପରେ ‘ ଜନ୍ମିଥିବା ହେତୁ ” ନବକଳେବର ସମୟରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବ୍ରହ୍ମଙ୍କୁ ହସ୍ତରେ ଧରି ନୂତନ ମୂର୍ତ୍ତିରେ ସ୍ଥାପନ କରାଇଥାନ୍ତି । ଦେବାଧିଦେବଙ୍କୁ ସ୍ପର୍ଶ କରି ଏମାନେ ଅତି ଧନ୍ୟ । ବିଭିନ୍ନ ଲେଖକ ଓ ଶ୍ରୀଜଗନ୍ନାଥ ତତ୍ତ୍ୱବିତ୍ମାନେ ପତି ମହାପାତ୍ର ପୌରାଣିକ ବିଦ୍ୟାପତିଙ୍କ ବଂଶଧର ରୂପେ ମାନ୍ୟତା ଦେଇଛନ୍ତି । ବ୍ରହ୍ମ ପରିବର୍ତ୍ତନରେ ଏମାନେ ଦେବାଧିଦେବଙ୍କୁ ସ୍ପର୍ଶ କରି ଖୁବ୍ ପବିତ୍ର କାର୍ଯ୍ୟ ସଂପାଦନା କରିଥାନ୍ତି । ଏମାନେ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସମୟରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଳରୁ ବିଶ୍ବାବସୁ ପୂଜିତ ନୀଳମାଧବଙ୍କ ସମୟରୁ ଏହି କାର୍ଯ୍ୟ କରୁଛନ୍ତି । ଏହି ଶ୍ରେଣୀର ବିଦ୍ୟାପତିଙ୍କ ବଂଶଧର ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସେବକ ରୂପେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ରହି ଆସିଛନ୍ତି । ତେଣୁ ସମସ୍ତ ପୁରାତନ ଗ୍ରନ୍ଥମାନଙ୍କରେ ଯେଉଁଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଜଗନ୍ନାଥତତ୍ଵର ବର୍ଣ୍ଣନା କରାଯାଇଛି , ସେଠାରେ ବିଦ୍ୟାପତି ଓ ତାଙ୍କର ବଂଶଧର ଏହି ପତି ମହାପାତ୍ରମାନଙ୍କର ବର୍ଣ୍ଣନା ରହିଛି । ନୀଳାଦ୍ରି ମହୋଦୟ ଏକ ପ୍ରାଚୀନ ପୌରାଣିକ ଗ୍ରନ୍ଥ । ଏହା ସଂସ୍କୃତ ଭାଷାରେ ଲିଖିତ । ବର୍ତ୍ତମାନ ସୁଦ୍ଧା ଏହି ଗ୍ରନ୍ଥର ଉଲ୍ଲେଖ ଅନୁସାରେ ଶ୍ରୀମନ୍ଦିରର ବହୁତ ନୀତି ପରିଚାଳିତ । ବାମଦେବ ସଂହିତା , ନୀଳାଦ୍ରି ମହୋଦୟ , ନୀଳମତ ପୁରାଣକୁ ଶ୍ରୀମନ୍ଦିରର ବ୍ରାହ୍ମଣ ମହାଜନ ପୂଜାପଣ୍ଡା ଆଦି ବ୍ରାହ୍ମଣ ସେବକ ଓ ଦଇତାମାନେ ବହୁଳ ଭାବରେ ମାନ୍ୟତା ଦେଇଥାନ୍ତି । ନୀଳାଦ୍ରି ମହୋଦୟଙ୍କ ରଚୟିତାଙ୍କ ସମ୍ବନ୍ଧରେ ଯାହା ଅନୁମାନ କରାଯାଏ , ତାହା ହେଉଛି କୌଣସି ବ୍ରାହ୍ମଣ ସେବାୟତ ଅର୍ଥାତ୍ ପୂଜାପଣ୍ଡା ପତି ମହାପାତ୍ର ମୁଦିରଥ ବା ଅନୁରୂପ କୌଣସି ପୁରାତନ ବ୍ରାହ୍ମଣ ସେବକଙ୍କ ଦ୍ଵାରା ଏହା ଲିଖିତ । ଏହି ପୁସ୍ତକରେ ବିଦ୍ୟାପତି ଓ ତାଙ୍କର ବଂଶଧର ସେବକଙ୍କର ବହୁଳ ଉଲ୍ଲେଖ ରହିଛି ।
ଥରେ ଜଣେ ଜଟାଜୁଟଧାରୀ ମୁନିବେଶଧାରୀ ସନ୍ନ୍ୟାସୀ ଆସି ମାଳବର ରାଜା ଇନ୍ଦ୍ରଦ୍ୟୁମକୁ ଗୋଟିଏ ମାଳା ଦାନ ପୂର୍ବକ ଓଡ୍ରଦେଶର ନୀଳାଚଳ ନାମକ ରମ୍ୟ କ୍ଷେତ୍ରରେ ଏକକ୍ରୋଶ ବ୍ୟାପୀ ରହିଥିବା ବଟବୃକ୍ଷ ମୂଳରେ ନୀଳସୁନ୍ଦର ବିଗ୍ରହ ନୀଳମାଧବଙ୍କର ଅବତାରଣା କରିଥିଲେ । ସେ କହିଥିଲେ ସେହି ବୃକ୍ଷର ପଶ୍ଚିମ ଭାଗରେ ଶବର ମାନଙ୍କର ବାସସ୍ଥଳୀ ବିଦ୍ୟମାନ । ସେହି ନୀଳାଚଳର ଚଲାବାଟରେ ଯାଇ ଯେ ମାଧବଙ୍କୁ ଦର୍ଶନ କରେ ସେ ମୁକ୍ତିଲାଭ କରିଥାଏ । ସେହି କ୍ଷେତ୍ରରେ ମହାପାପୀ କାକ ମଧ୍ୟ ମୁକ୍ତିଲାଭ କରିଛି । ସେହି ମୁନୀ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସେଠାରେ ବାସ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଓ କ୍ଷେତ୍ରକୁ ବିଖ୍ୟାତ କରିବା ପାଇଁ ଅନୁରୋଧ କରି ଫେରି ଯାଇଥିଲେ । ରାଜାଙ୍କଠାରୁ ଧନରତ୍ନ ମାଗିବାର କୌଣସି ଅଭିଳାଷ ତାଙ୍କର ନଥିଲା । ମୁନି ଅନ୍ତର୍ଦ୍ଧାନ ହେବାପରେ ରାଜା ତାଙ୍କର ପୁରୋହିତଙ୍କୁ ଉକ୍ତ କ୍ଷେତ୍ରରେ ସନ୍ଧାନ ଲାଗି ଅନୁରୋଧ କରିଥିଲେ । ପୁରୋହିତ ମହୋଦୟ ତାଙ୍କର ଭ୍ରମଣ ନିପୁଣ ଭ୍ରାତା ବିଦ୍ୟାପତିଙ୍କୁ ଉକ୍ତ କାର୍ଯ୍ୟ ସାଧନ କରିବା ପାଇଁ ଯୋଗ୍ୟ ବୋଲି ବାଛିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କୁ କ୍ଷେତ୍ର ଅନ୍ଵେଷଣରେ ପଠାଇଲେ । ବିଦ୍ୟାପତି ମନେ ମନେ ମାଧବଙ୍କୁ ସ୍ମରଣ କରି ରଥ ଆରୋହଣ କରି ଗମନ ପୂର୍ବକ ମହାନଦୀ ପାର ହୋଇ ଶବର ଦ୍ବୀପରେ ଥିବା କାନନରେ ପ୍ରବେଶ କଲେ । ଶବର ରାଜା ବିଶ୍ଵାବସୁ ବିଦ୍ୟାପତିଙ୍କୁ ସ୍ବାଗତ କରି କହିଥିଲେ ଯେ ହେ ବିପ୍ରବର ଅତି ଗହନ ଏ ପର୍ବତ ଗ ହ୍ୱରକୁ ଆପଣଙ୍କୁ କିଏ ପଠାଇଲା ? ଆପଣ ମଧ୍ୟ ଏଠାକୁ ଆସିଲେ କିପରି ? ହେ ଦ୍ୱିଜବର ଆପଣ ସତ କହନ୍ତୁ ଆପଣଙ୍କ ନାମ କ’ଣ ? ବିଶ୍ଵାବସୁଙ୍କୁ ଉତ୍ତର ଦେଇ ବିପ୍ର କହିଥିଲେ ମୁଁ ମାଳବ ଦେଶ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୁରୋହିତଙ୍କ ସାନ ଭାଇ । ମୋର ନାମ ବିଦ୍ୟାପତି । ମାଧବଙ୍କ ଦର୍ଶନ ଲାଗି ରାଜା ଇନ୍ଦ୍ରଦ୍ୟୁମ୍ନ ମୋତେ ମାର୍ଗ ନିରୀକ୍ଷଣ କରିବା ପାଇଁ ପଠାଇଛନ୍ତି । ରାଜା ଏଠାରେ ନିବାସ କରି ମାଧବଙ୍କ ପୂଜାରେ ନିଯୁକ୍ତ ହେବେ । ଏହି ବିଷୟ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ଅଛି । ଏହାପରେ ଘଟିଥିବା ଅନ୍ୟାନ୍ୟ ବିଷୟ ପୌରାଣିକ କିମ୍ବଦନ୍ତୀ ଆକାରରେ ଓଡ଼ିଶା ସାରା ମଧ୍ୟ ବିଦିତ । ବିଦ୍ୟାପତିଙ୍କ ନୀଳମାଧବ ଦର୍ଶନ । ବିଶ୍ଵାବସୁ ଶବର ରାଜକନ୍ୟା ଲଳିତାଙ୍କ ସହ ବିଦ୍ୟାପତିଙ୍କ ଶୁଭ ପରିଣୟ , ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ , ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଵର୍ଗ ଗମନ ଓ ବ୍ରହ୍ମାଙ୍କୁ ନିମନ୍ତ୍ରଣ , ବ୍ରହ୍ମାଙ୍କୁ ଧରି ଆସିବା ପରେ ପୃଥିବୀରେ ଅଖଣ୍ଡକାଳ ପ୍ରବହମାନ , ତତ୍କାଳିକ ଉଡ୍ରରାଜା ଗାଲମାଧବଙ୍କ ସହ ମନ୍ଦିରର ସ୍ଥାପନ କର୍ତ୍ତା ବିଷୟରେ ବିବାଦ , ଅବଶେଷରେ ବିଭିନ୍ନ ସାଖ୍ୟ ପ୍ରମାଣରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ବିଜୟୀ , ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ପ୍ରତିଷ୍ଠା , ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ମନ୍ଦିରରେ ପୂଜା ପାଇଁ ବିରାଟ ଆୟୋଜନ , ପୂଜା ପଦ୍ଧତି ପ୍ରଚଳନ , ବିଦ୍ୟାପତି ବିଶ୍ଵାବସୁଙ୍କ ବଂଶଧରଙ୍କ ସମେତ ଆଚାର୍ଯ୍ୟ , ଅଗ୍ନିଶର୍ମା , ମହାସୁପକାର ପରୀକ୍ଷାଙ୍କ ସହ ବିଭିନ୍ନ ସେବକବର୍ଗଙ୍କ ପ୍ରତିଷ୍ଠା ଇତ୍ୟାଦି ବିଷୟ ଓଡ଼ିଶା ବାହାରେ ସାରା ପୃଥିବୀରେ ପ୍ରତିଷ୍ଠିତ କିମ୍ବଦନ୍ତୀ ଆକାରରେ ପ୍ରସିଦ୍ଧି ଲାଭ କରିଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଉକ୍ତ ମନ୍ଦିରରେ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲେ । ଏ ବିଷୟ ଶ୍ରୀଜଗନ୍ନାଥ ସେବାୟତ ଅତୀତ , ବର୍ତ୍ତମାନ , ଭବିଷ୍ୟତ ପୁସ୍ତକରେ ଉଲ୍ଲେଖ ରହିଛି । ଉକ୍ତ ଦିନଠାରୁ ବିଦ୍ୟାପତି ଓ ତାଙ୍କର ବଂଶଧର ପତି ମହାପାତ୍ର ପୁରୁଷୋତ୍ତମ କ୍ଷେତ୍ରରେ ବସବାସ କରି ଆସୁଛନ୍ତି । ଯେତେ ପ୍ରଳୟ ହେଲେ ମଧ୍ୟ ଶ୍ରୀକ୍ଷେତ୍ର ଧ୍ବଂସ ପାଇ ନାହିଁ । ତେଣୁ ପ୍ରଳୟ ପରେ ପ୍ରଳୟ ପାର କରି ପତି ମହାପାତ୍ର ସେବକମାନେ ପୁରୀରେ ଅଛନ୍ତି । ରକ୍ତବାହୁର ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ ବିଷୟ ମାଦଳା ପାଞ୍ଜିରେ ବର୍ଣ୍ଣିତ ଅଛି । ଏହି ରକ୍ତବାହୁ ଆକ୍ରମଣ ସମୟରେ ଜଗନ୍ନାଥ ମହାପ୍ରଭୁ ଓଡ଼ିଶାର ସୋନପୁର ଜିଲ୍ଲାର ସୋନପୁରର ଗୋପାଳି ଗ୍ରାମରେ ୧୪୪ ବର୍ଷ ପାତାଳି ଥିଲେ । ସମ୍ରାଟ ଯଯାତି କେଶରୀ ନବମ ଶତାବ୍ଦୀରେ ପୁଣି ଶ୍ରୀଜଗନ୍ନାଥଙ୍କୁ ପୁରୀରେ ସ୍ଥାପନା କରି ୩୮ ହାତ ବିଶିଷ୍ଟ ଦେଉଳ ତୋଳାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆତ୍ମୀୟ ଓ ବଂଶଧର ଏହି ସେବକ ପୁରୀରେ ନରହି ଜଗନ୍ନାଥଙ୍କ ପାଖରେ ରହିଥିଲେ ।
ଐତିହାସିକ ତଥ୍ୟ ଅନୁସାରେ ଦଇତାମାନେ ସମ୍ବଲପୁର ଜିଲ୍ଲାର ଗ୍ରାମରେ ଥିଲେ , ପତି ମହାପାତ୍ରମାନେ ମଧ୍ୟପ୍ରଦେଶର ( ଛତିଶଗଡ଼ ) ରତ୍ନପୁରରେ ରହି ଜଗନ୍ନାଥଙ୍କ ବିଗ୍ରହ ଉପରେ ଉଠିଥିବା ପବିତ୍ର ବୃକ୍ଷର ପୂଜା କରୁଥିଲେ । ଏଥିରୁ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ପତି ମହାପାତ୍ର ସେବକଙ୍କ ଆତ୍ମୀୟତାର ପ୍ରମାଣ ମିଳେ । ଜଗନ୍ନାଥ ମହାପ୍ରଭୁଙ୍କ ବଂଶଧର ରୂପେ ସାରା ରାଜ୍ୟରେ ପତି ମହାପାତ୍ରମାନେ ସମ୍ମାନିତ ହୋଇଥାନ୍ତି । ପତି ମହାପାତ୍ର ନବକଳେବର ସମୟରେ ଖୁବ୍ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି , ବ୍ରହ୍ମ ପରିବର୍ତ୍ତନ କାର୍ଯ୍ୟରେ ପତି ମହାପାତ୍ର ଯୋଗ ଦେଇଥାନ୍ତି । ଏହି ବ୍ରହ୍ମ ପରିବର୍ତ୍ତନ ପରେ ନବକଳେବର ବେଳେ ପତି ମହାପାତ୍ର ମୃତ୍ୟୁବରଣ କରିଥିବା ପ୍ରମାଣ ଅଛି । ବ୍ରହ୍ମାଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା କାଳରେ ଯୋଗ ଦେଇ ବିଦ୍ୟାପତି ଯେଉଁ ପୂର୍ଣ୍ଣ କାର୍ଯ୍ୟ କରିଥିଲେ , ସେଥିପାଇଁ ବ୍ରହ୍ମ ପରିବର୍ତ୍ତନ ବେଳେ ଦେବାଧିଦେବଙ୍କୁ ସ୍ପର୍ଶ କରିବାର ଅଧୁକାର ଯୁଗ ଯୁଗ ଧରି ପାଇଛନ୍ତି । ମନ୍ଦିର ନୀତିରେ ବ୍ରହ୍ମା ରୂପେ ମଧ୍ୟ ବରଣ ହୁଅନ୍ତି । ରଥଯାତ୍ରା ବେଳେ ଏହି ସେବକଙ୍କର ବିଶେଷ କାର୍ଯ୍ୟ ମଧ୍ୟ ରହିଛି । ମନ୍ଦିର ଆଳତୀ ବେଳେ ମଧ୍ୟ ଏମାନଙ୍କର କାର୍ଯ୍ୟ ବିଶେଷ ମର୍ଯ୍ୟାଦା ସଂପନ୍ନ ଅଟେ । ତେଣୁ ଏକ ସ୍ବତନ୍ତ୍ର ଭାବେ ସମ୍ମାନିତ ସେବକ ରୂପେ ଶ୍ରୀମନ୍ଦିରରେ ଏହି ପତି ମହାପାତ୍ର ସେବକ ସେବାୟତମାନଙ୍କ ମଧ୍ୟରେ ଓ ଭକ୍ତମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିଥାନ୍ତି ।