ଶ୍ରୀମନ୍ଦିରରେ ଚମ୍ପକ ଦ୍ଵାଦଶୀ ନୀତି
ମହାପ୍ରଭୁଙ୍କ ଗୁଆଲି ଯାତ୍ରା :
ନଗର ପରିକ୍ରମା ରେ ମହାପ୍ରଭୁ
ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଚନ୍ଦନ ବିଜେ କରାଇ ପୁଷ୍ପାଳକ ମାନଙ୍କ ସହ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରାଇଥାନ୍ତି । ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ନୀତି କରାଯାଏ।
ଏହାପରେ ବରକନ୍ୟାଙ୍କୁ ଗୁଆଲି ବେଶ ରେ ସଜ୍ଜିତ କରାଯାଏ l ବେଶ ବଢିବା ପରେ ଦକ୍ଷୀଣ ଘର ଭୋଗ କରାଯାଏ, ସରିବା ପରେ ବର କନ୍ୟା ( ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ) ରତ୍ନସିଂହାସନ କୁ ବିଜେ କରିଥାନ୍ତି ଓ ବନ୍ଦାପନା ହୋଇଥାଏ। ବନ୍ଦାପନା ନୀତି ସରିବା ପରେ ବର- କନ୍ୟା ଆଜ୍ଞାମାଳ ପ୍ରଦାନ କରାଯାଏ ଓ ସେଠାରେ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କି ରେ ଅଧିଷ୍ଠିତ କରାଇଥାନ୍ତି। ବିମାନବଡୁ ସେବକମାନେ ଉକ୍ତ ପାଲିଙ୍କି କୁ ବଡ଼ ଦେଉଳର ଚତୁଃପାଶ୍ୱର୍ରେ ବେଢାଏ ବୁଲି ବିମାନ ସରଘର ଓ ଆନନ୍ଦ ବଜାର ରେ ପନ୍ତିଭୋଗ ହୋଇ ସିଂହଦ୍ୱାର ଦେଇ ରାଜାଙ୍କ ଶ୍ରୀନଅର କୁ ଘଣ୍ଟ , ଘଣ୍ଟା ,କାହାଳି ଓ ଆଲୋକ ମଳରେ ବିଜେ କରାଇଥାନ୍ତି।
ଶ୍ରୀନଅର ଠାରେ ଗଜପତି ମହାରାଜ ବର-କନ୍ୟା ଙ୍କୁ ପାଛୋଟି ନେଇ ଏକ ଖଟ ଉପରେ ବିଜେ କରାଇଥାନ୍ତି। ମହାସୁଆର ସେବାୟତ ଦ୍ୱାରା ପ୍ରସ୍ତୁତ ପିଠାକୁ ପୂଜାପଣ୍ଡା ସେବକ ପଂଚଉପଚାର ବିଧିରେ ମଣୋହି କରିଥାନ୍ତି।
ଏହାପରେ ପ୍ରସାଦ ଲାଗି ଓ ଗଜପତି ଚଳନ୍ତି ପ୍ରତିମାଙ୍କ ସମ୍ମୁଖରେ ରହି ବନ୍ଦାପନା ଓ ଚାମର ଆଲଟ ନୀତି ସମ୍ପାଦନ କରିଥାନ୍ତି।
ଏହାପରେ ଶ୍ରୀନଅର ଭିତର ଶୋଧ ହୋଇ ସେବକ ଓ ଅନ୍ୟାନ୍ୟ ବ୍ୟକ୍ତିବୃନ୍ଦ ବାହାରକୁ ଆସନ୍ତି ଓ ଶ୍ରୀନଅର ର ସିଂହଦ୍ୱାର ବନ୍ଦ କରାଯାଏ। ଗଜପତି ମହାରାଜ, ମହାରାଣୀ ଓ ରାଜ ପରିବାର ବର୍ଗ ବର କନ୍ୟା ଙ୍କ ନିକଟକୁ ବନ୍ଦାପନା କରିବା ସଙ୍ଗେ ସଙ୍ଗେ ବିଧି ଅନୁସାରେ ଭେଟ ଦେଇଥାନ୍ତି। ଏହାପରେ ଶ୍ରୀନଅର ର ସିଂହଦ୍ୱାର ଖୋଲିଥାଏ।
ତତ୍ପରେ ମହାଜନ ସେବକମାନେ ବରକନ୍ୟା ଙ୍କୁ ପାଲିଙ୍କିରେ ବିଜେ କରାଇଥାନ୍ତି। ଉକ୍ତ ପାଲିଙ୍କି କୁ କାନ୍ଧେଇ ଜମେଶ୍ୱର ମହାଦେବ ଙ୍କ ମନ୍ଦିର କୁ ନେଇଯାନ୍ତି ବିମାନବଡୁ ସେବାୟତ । ସେଠାରେ ବରକନ୍ୟା ଉଦେଶ୍ୟରେ।ପଞ୍ଚ ଗ୍ରାସୀ ଭୋଗ ଓ ବନ୍ଦାପନା ହୋଇଥାଏ। ଏହାପରେ ବାହୁଡା ବିଜେ କରି ଦକ୍ଷିଣ ଘରକୁ ଆସିଥାନ୍ତି। ଏହାପରେ ଶ୍ରୀମନ୍ଦିରରେ ଆଲଟ , ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିଲେ ବରକନ୍ୟା ଦକ୍ଷିଣୀ ଘରୁ ଭିତରେ ସିଂହାସନ ବିଜେ କରିଥାନ୍ତି ଓ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୋଇ ରାତ୍ର ପହୁଡ଼ ହୋଇଥାଏ।


